ଘନ କୁହୁଡି ପାଇଁ ହରିୟାଣାରେ ୫୦ ଗାଡି ଦୁର୍ଘଟଣା ଗ୍ରସ୍ତ, ୮ ମୃତ

ହରିୟାଣା,୨୪ /୧୨: ଘନ କୁହ଼ୁଡି ହେଲା କାଳ । ଘନ କୁହୁଡି ପାଇଁ ହରିୟାଣାର ରୋହତକ-ରେଓ୍ୱାରୀ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କାରାଯାଇଛି ।

କୁହୁଡି ପାଇଁ ରାଜପଥରେ ପ୍ରାୟ ୫୦ଟି ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଗ୍ରସ୍ତ ଗାଡି ଗୁଡିକ ମଧ୍ୟରେ ଅନେକ ସ୍କୁଲ ବସ ମଧ୍ୟ ରହିଛି । ଦୁର୍ଘଟଣା ପରେ ପ୍ରାୟ ୨ କିମି ପର୍ଯ୍ୟନ୍ତ ରାଜପଥରେ ଟ୍ରାଫିକ ଜାମ ହୋଇଥିଲା । ମୃତ ୮ ଜଣ ଏକ ଏସୟୁଭି ଭ୍ୟାନରେ ଯାତ୍ରା କରି ଦିଲ୍ଲୀରୁ ବାହାରକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ।

ହରିୟାଣାର କୃଷି ମନ୍ତ୍ରୀ ଓମ ପ୍ରକାଶ ଧାନକର ହସ୍ପିଟାଲରେ ପହଁଞ୍ଚି ଆହତଙ୍କୁ ସାକ୍ଷାତ କରିଥିଲେ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କ 1 ଲକ୍ଷ ଟଙ୍କା ଲେଖାଏଁର ଅନୁକମ୍ପା ରାଶିର ଘୋଷଣା କରିଛନ୍ତି ହରିୟାଣା ସରକାର । ହରିୟାଣା ସହ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଘନ କୁହୁଡି ଆଜି ସକାଳୁ ଦେଖିବାକୁ ମିଳିଥିଲା ।