ଭାରତର ସବୁଠୁ ବିଶ୍ବାସଯୋଗ୍ୟ ରଣନୈତିକ ଅଂଶୀଦାର ହୋଇ ରହିବ ରୁଷ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତମାସରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମସ୍କୋ ଯାତ୍ରା କରିବା ସହ ତାଙ୍କ ରୁଷୀୟ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଏକ ବୈଠକ କରିଥିଲେ। ଏହାକୁ ନେଇ ଭାରତୀୟ ବିଶେଷଜ୍ଞମାନଙ୍କ ମଧ୍ୟରେ ମତବିଭାଜନ ଦେଖାଦେଇଛି। ୟୁକ୍ରେନ୍‌ ଯୁଦ୍ଧ ଚାଲିଥିବା ବେଳେ ଜନିପିଙ୍ଗଙ୍କ ଏହି ଗସ୍ତରୁ ରାଜନୀତି ବିଶାରଦମାନେ ଅନୁମାନ କରୁଛନ୍ତି ଯେ ଏହାପରେ ରୁଷ୍ ଚୀନ୍ ଉପରେ ଅଧିକ ନିର୍ଭରଶୀଳ ହୋଇପାରେ। ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ୨୦୨୦ ମେ ମାସରେ ଏଲ୍‌ଏସି ନିକଟରେ ଭାରତ ଓ ଚୀନ୍ ମୁହାଁମୁହିଁ ହେବା ପରଠାରୁ ଦୁଇ ଦେଶ ଭିତରେ ସମ୍ପର୍କ ତିକ୍ତ ହୋଇଛି।

ଦୁଇ ଦେଶ ମଧ୍ୟରେ ଅନେକ ଥର କୂଟନୈତିକ କଥାବାର୍ତ୍ତା ହେବା ସତ୍ତ୍ବେ ଗତମାସରେ ଉଭୟ ଦେଶ ବିବାଦୀୟ ସ୍ଥଳରେ ଅଧିକ ସୈନ୍ୟ ମୁତୟନ କରିଛନ୍ତି। ଚୀନ୍ ସୀମାରେ ଶାନ୍ତି ପ୍ରତିଷ୍ଠା ନ କଲେ ଦୁଇ ପଡ଼ୋଶୀ ଦେଶ ଭିତରେ ସମ୍ପର୍କ ସୁଧୁରିପାରିବ ନାହିଁ। ରୁଷ୍ ହେଉଛି ଭାରତର ଘନିଷ୍ଠ ବନ୍ଧୁ ଓ ବୃହତ୍ତମ ଅସ୍ତ୍ରଶସ୍ତ୍ର ଓ ସାମରିକ ଯନ୍ତ୍ରାଂଶ ଯୋଗାଣକାରୀ। ଏକ ୧୦ ବର୍ଷିଆ ସାମରିକ-ପ୍ରଯୌକ୍ତିକ ସହଯୋଗ ନେଇ ୨୦୨୧ ଡିସେମ୍ବର ମାସରେ ଦୁଇ ଦେଶ ଭିତରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ସୀମାରେ ଚୀନ୍ ସହ ସଂଘର୍ଷ କାରଣରୁ ନୂଆଦିଲ୍ଲୀ ପାଇଁ ମସ୍କୋର ଗୁରୁତ୍ବ ବୃଦ୍ଧି ପାଇଛି।

ୟୁକ୍ରେନ୍ ଉପରେ ଆକ୍ରମଣକୁ ନେଇ ଆମେରିକା ଓ ୟୁରୋପର ଚାପ ସତ୍ତ୍ବେ ଭାରତ ଓ ଚୀନ୍ ରୁଷ୍‌କୁ ନିନ୍ଦା କରିନାହାନ୍ତି। ଭାରତ ସହ ସୀମା ସଂଘର୍ଷ ଭିତରେ ଭାରତକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଅତୀତରେ ଚୀନ୍ ପ୍ରସ୍ତାବ ଦେଇଥିଲେ ମଧ୍ୟ ରୁଷ୍ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା। କିନ୍ତୁ ଏବେ ପରିସ୍ଥିତିରେ କିଛିଟା ପରିବର୍ତ୍ତନ ଘଟିଛି। ପ୍ରଶ୍ନ ଉଠୁଛି ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ରୁଷ୍ ଏବେ ଚୀନ୍ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଥିବାରୁ ଏହା ଭାରତ-ଚୀନ୍ ପ୍ରସଙ୍ଗରେ ନିଜର ସ୍ବାଧୀନ ଆଭିମୁଖ୍ୟ ବଜାୟ ରଖିବ ତ? ଚୀନ୍‌କୁ ଅଧିକ ସୁହାଇଲା ଭଳି ନୀତି ଗ୍ରହଣ କରିବ ନାହିଁ ତ? ଭାରତର ଜନୈକ ପୂର୍ବତନ ବିଦେଶ ସଚିବ ଶ୍ୟାମ ଶରଣଙ୍କ ମତରେ ଏ ପରିସ୍ଥିତିରେ ରୁଷ୍ ଭାରତ-ଚୀନ୍ ସମ୍ପର୍କରେ ସ୍ବାଧୀନ ଆଭିମୁଖ୍ୟ ପୋଷଣ କରିବା ସମ୍ଭବପର ନ ହୋଇପାରେ। ଭାରତ ସହ କାରବାର କମାଇବାକୁ ଚୀନ୍ ରୁଷ୍‌କୁ ବାଧ୍ୟ କରିପାରେ। ଏଣୁ ଭାରତକୁ ତା’ର ବିଦେଶ ନୀତିର ସମୀକ୍ଷା ଓ ସୁରକ୍ଷାର ସମାକଳନ କରିବାକୁ ପଡ଼ିପାରେ।

ତେବେ ଭାରତର ଆଉ ଜଣେ ନୀତିନିର୍ମାତାଙ୍କ ମତରେ ଚୀନ୍ ଓ ଭାରତ ମଧ୍ୟରୁ ଚୀନ୍‌ର ସ୍ବାର୍ଥକୁ ରୁଷ୍ କମ୍ ଗୁରୁତ୍ବ ଦେବ ଓ ଭାରତକୁ ପ୍ରାଥମିକତା ଦେବ। ଭାରତର ପୂର୍ବତନ ରୁଷ୍ ରାଷ୍ଟ୍ରଦୂତ ଭେଙ୍କଟ ବର୍ମା କହିଛନ୍ତି, ଗତ ମାସରେ ପୁଟିନ-ଜିନପିଙ୍ଗଙ୍କ ବୈଠକ ପରେ ଯେଉଁ ଦ୍ବିପାକ୍ଷିକ ଯୁଗ୍ମ ବିବୃତି ପ୍ରକାଶ ପାଇଥିଲା, ସେଥିରେ ‘ସୀମାହୀନ ବନ୍ଧୁତା’ (ଫ୍ରେଣ୍ଡସିପ ୱିଦାଉଟ୍ ଲିମିଟ୍‌) ପରି ଫ୍ରେଜ୍ (ଶବ୍ଦଗୁଚ୍ଛ)ର ଅଭାବ ରହିଥିଲା। ଆମେରିକା ଓ ୟୁରୋପର ଚାପ ଯୋଗୁ ରୁଷ୍‌ର ଦୁର୍ବଳତାର ସୁଯୋଗ ନେଇଛି ଚୀନ୍ ।ତେବେ ରୁଷ୍‌-ଚୀନ୍ ଅତିରଞ୍ଜିତ ବନ୍ଧୁତ୍ବର ଦ୍ବାହି ଦେଇ ଏହି ସମୟରେ ଭାରତ ଆମେରିକାର ଅଧିକ ନିକଟତର ହେବା ଉଚିତ ବୋଲି ଯୁକ୍ତିକୁ ବର୍ମା ଗ୍ରହଣ କରିନାହାନ୍ତି।