ବେଙ୍ଗାଲୁରୁ : ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି। କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର ଏନେଇ ସୂଚନା ଦେଇଛନ୍ତି। କଂଗ୍ରେସ ସଭାପତି ଡିକେ ଶିବକୁମାର କହିଛନ୍ତି ଯେ, ଲକ୍ଷ୍ମଣ ସାୱାଡ଼ିଙ୍କ ସହ ମୋର ଦୀର୍ଘ ସମୟ ଆଲୋଚନା ହୋଇଛି। ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି। କୌଣସି ସର୍ତ୍ତ ନାହିଁ, ସେ ଜଣେ ବରିଷ୍ଠ ନେତା, ସେ ଅନୁଭବ କରୁଛନ୍ତି ଯେ ତାଙ୍କୁ ବିଜେପିରେ ଅପମାନିତ କରାଯାଇଛି ଏବଂ ଏପରି ନେତାଙ୍କୁ କଂଗ୍ରେସ ଦଳକୁ ଆଣିବା ଆମର କର୍ତ୍ତବ୍ୟ। କଂଗ୍ରେସ ନେତା ସିଦ୍ଧାରମୈୟା କହିଛନ୍ତି ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ଏବଂ ମୁଁ ଆଶା କରୁଛି ସେ ବିଜୟୀ ହେବେ। ଅଥାନୀ ନିର୍ବାଚନ ମଣ୍ଡଳୀରୁ ଟିକେଟ ନମିଳିବାକୁ ନେଇ ଅସନ୍ତୋଷ ଥିବା ଲକ୍ଷ୍ମଣ ସାୱାଡ଼ି ଏପ୍ରିଲ ୧୨ରେ ବିଧାନ ପରିଷଦ ସଦସ୍ୟ ଓ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
