ସୋଆରେ ୮ ଦେଶର ପ୍ରତିନିଧି ଦଳ : ପରିଦର୍ଶନ କଲେ କୋଣାର୍କ, ପୁରୀ ଓ ରଘୁରାଜପୁର

ଭୁବନେଶ୍ୱର ୧୭/୦୪: ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି । କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଏହି ବିଦେଶୀ ପ୍ରତିନଧିମାନେ ଅଭିଭୁତ ହୋଇଛନ୍ତି । ସେହିପରି ବିଦେଶୀ ପ୍ରତିନିଧିମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତି ଅର୍ଘ୍ୟ ପ୍ରଦାନ କରିଛନ୍ତି । ରବିବାର ସନ୍ଧ୍ୟାରେ ହୋଟେଲ ମେ ଫେୟାରରେ ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କର୍ପୋରେଟ କମ୍ୟୁନିକେସନ୍‌ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ, ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ୍‌ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତଥା ଆଜାଦୀକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଭାରତୀୟ ସାଂସ୍କୃତିକ ସମ୍ୱନ୍ଧ ପରିଷଦ (ଆଇସିସିଆର୍‌) ପକ୍ଷରୁ ପ୍ରାୟୋଜିତ ଜେନ୍‌ନେକ୍ସଟ୍‌-ଡେମୋକ୍ରାସି-ନେଟୱାର୍କ୍‌ ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଆସିଛନ୍ତି ।

ସାଂସ୍କୃତିକ ଐତିହ୍ୟ ଓ ବିକାଶ ସମ୍ପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି । ବେଲଜିୟମ୍‌, ବ୍ରାଜିଲ୍‌, ବୁଲଗେରିଆ, କ୍ରୋଏସିଆ, ଗୁଏନା, ମଙ୍ଗୋଲିଆ, ପର୍ତ୍ତୁଗାଲ ଏବଂ ଦକ୍ଷିଣ ଆଫ୍ରିକା ପ୍ରମୁଖ ଦେଶର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ୱାଦିକ, ଶିକ୍ଷାବିତ୍‌ ଓ ଯୁବନେତା ପ୍ରମୁଖ ୨୬ ଜଣିଆ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ସେମାନଙ୍କୁ ସୋଆ ପକ୍ଷରୁ ସହଯୋଗ କରାଯାଉଛି ।