ନୂଆଦିଲ୍ଲୀ,୨୧/୪ : ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ୩୦୦ କୋଟି ଲାଞ୍ଚ ଘଟଣାରେ ସମନ କଲା ସିବିଆଇ । ସତ୍ୟପାଲ ରାଜ୍ୟପାଳ ଥିବା ବେଳେ ଦୁଇଟି ଫାଇଲ୍ ପାସ୍ କରାଇବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଥିଲା ବୋଲି ସେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିବିଆଇ ତାଙ୍କୁ ସମନ କରିଛି ।
ଏନେଇ ଗଣମାଧ୍ୟମକୁ ସତ୍ୟପାଲ ସୂଚନା ଦେଇ କହିଛନ୍ତି “ସିବିଆଇ ମୋତେ ଏହି ମାମଲାରେ ଡାକିଛି । ସେମାନେ କେସ୍ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ଚାହୁଁଛନ୍ତି । ସେମାନେ ମୋତେ ମୋୖଖିକି ଭାବରେ ୨୭ କିମ୍ବା ୨୮ ତାରିଖରେ ହାଜର ହେବାକୁ କହିଛନ୍ତି।” ନିକଟରେ ବିଭିନ୍ନ ଗଣମାଧ୍ୟମରେ ସାକ୍ଷାତକାର ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ପୁଲୱାମା ଆକ୍ରମଣ ଠାରୁ ଆରମ୍ଭ କରି ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିଷୟରେ ଖୁଲାସା କରିଥିଲେ।
ଏନେଇ ତାଙ୍କ ବିରୋଧରେ କେନ୍ଦ୍ର ସରକାର ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏବେ ସିବିଆଇ ସମନ କରିବା ପରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ ।