ପ୍ରଥମ ଦଫାରେ ସୁଦାନ ଛାଡ଼ିଲେ ୨୭୮ ଭାରତୀୟ

ନୂଆଦିଲ୍ଲୀ,୨୫/୪ : ହିଂସାରେ ପ୍ରଭାବିତ ସୁଦାନରୁ ଅପରେସନ କବେରୀ ଦ୍ୱାରା ଭାରତ ସରକାର ୨୭୮ ଜଣ ଭାରତୀୟଙ୍କୁ ପ୍ରଥମ ଦଫାରେ ଉଦ୍ଧାର କରିଛନ୍ତି। ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍‌ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ସମସ୍ତେ ସାଉଦିରେ ପହଞ୍ଚିବା ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷତି ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେସନ କାବେରି ଆରମ୍ଭ କରିଛନ୍ତି। ସୋମବାର ଏହି ଅପରେସନ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଦେଇଥିଲେ।

ସେ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦୦ ଭାରତୀୟ ପୋର୍ଟ ସୁଦାନରେ ପହଞ୍ଚି ସାରିଛନ୍ତି। ଆହୁରି ଅନେକ ପୋର୍ଟ ଅଭିମୁଖେ ଆସୁଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଦୁଇଟି ବିମାନ ଓ ଜାହାଜ ପ୍ରସ୍ତୁତ ହୋଇ ରହିଥିବା ସେ କହିଥିଲେ। ତାଙ୍କ ସୂଚନାର ଦିନକ ପରେ ଆଜି ୨୭୮ ଭାରତୀୟଙ୍କୁ ଧରି ଆଇଏନଏସ୍‌ ସୁମେଦ୍ଧା ଯାତ୍ରା ଆରମ୍ଭ କରିଛି।

ସୁଦାନରେ ବର୍ତ୍ତମାନ ଆର୍ମି ଓ ଅର୍ଦ୍ଧସାମାରିକ ରାପିଡ ସର୍ପୋଟ ଫୋର୍ସ(ଆଏସଏଫ) ମଧ୍ୟରେ କ୍ଷମତା ଦଖଲ ପାଇଁ ଲଢ଼େଇ ଚାଲିଛି। ନୂଆ ବେସାମାରିକ ସରକାର ଗଠନ ପାଇଁ ପ୍ରସ୍ତାବ ଆସିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିଯୋଗୁ ପୂରା ଦେଶରେ ହିଂସାତ୍ମକ ପରିବେଶ ସୃଷ୍ଟି ହୋଇଛି।

SBI_Festive_Digital Billboard