ଦାନ୍ତେୱାଡ଼ାରେ ବଡ଼ଧରଣର ନକ୍ସଲ ଆକ୍ରମଣ : ୧୧ ଯବାନ ସହିଦ

ଦାନ୍ତେୱାଡ଼ା,୨୬/୪ : ଛତିଶଗଡ଼ ଦାନ୍ତେୱାଡ଼ାରେ ହୋଇଛି ବଡ଼ ଧରଣର ନକ୍ସଲ ଆକ୍ରମଣ । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଜିଲ୍ଲା ସଂରକ୍ଷଣ ଗାର୍ଡ(ଡିଆରଜି)ର ୧୦ ଜଣ ଯବାନ ଓ ଜଣେ ଡ୍ରାଇଭର ସହିଦ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୁଲିସ୍‌ ଗାଡ଼ିଟି ସଂପୂର୍ଣ୍ଣ ଖଣ୍ଡବିଖଣ୍ଡିତ ହୋଇଛି। ଗାଡ଼ିରେ ଥିବା ୧୦ ଯବାନ ଓ ଡ୍ରାଇଭର ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।

ମଳିଥିବା ସୂଚନା ଅନୁସାରେ, ଦାନ୍ତେୱାଡାର ଅରନପୁର କ୍ଷେତ୍ରରେ କିଛି ନକ୍ସଲ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗୋଟିଏ ଗାଡ଼ିରେ ୧୦ ଜଣ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ସେମାନେ ନକ୍ସଲ ବିରୋଧୀ ଅପରେସନରୁ ଅପରାହ୍ନ ସମୟରେ ଫେରୁଥିବା ବେଳେ ଆଇଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।

ପୁଲିସ୍‌ କର୍ମଚାରୀମାନେ ଫେରୁଥିବା ରାସ୍ତାରେ ନକ୍ସଲମାନେ ଆଇଇଡି ବିଛାଇ ରଖିଥିଲେ। ଗାଡ଼ିଟି ଏହା ସଂସ୍ପର୍ଶରେ ଆସିବା କ୍ଷଣି ବିସ୍ଫୋରଣ ଘଟିଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ବେଶ କିଛି ବାଟ ଛିଟିକି ଯାଇଥିଲା ଓ ଏଥିରେ ଥିବା ସମସ୍ତ ୧୧ ଜଣ ସହିଦ ହୋଇଥିଲେ।

ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିବା ସହ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ନକ୍ସଲ ବିରୋଧୀ ଲଢ଼େଇ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନକ୍ସଲମାନଙ୍କୁ ଆଦୌ ଛଡ଼ା ଯିବନି ବୋଲି ସେ କହିଛନ୍ତି।

ସେହିପରି ନକ୍ସଲ ହମଲା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି। ସେ ସ୍ଥିତିର ସମୀକ୍ଷା କରିବା ସହ କେନ୍ଦ୍ର ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣା ପରେ ଛତିଶଡ଼ଗଡ଼ ଆଇଜି ସୁନ୍ଦରାଜ ଜରୁରୀ ବୈଠକ ଡାକିଛନ୍ତି।

ଛତିଶଗଡ଼ ସରକାର ସହିଦ ଯବାନ ଓ ପ୍ରାଣ ହରାଇଥିବା ଡ୍ରାଇଭରଙ୍କ ନାଁ ମଧ୍ୟ ସାର୍ବଜନୀନ କରିଛନ୍ତି। ସହିଦ ଯବାନମାନେ ହେଲେ ଜଗା ସୋଡି, ମୁନ୍ନାରାମ କଡତି, ସନ୍ତୋଷ ତାମୋ, ଦୁଲଗି ମଣ୍ଡାବି, ଲଖମୁ ମଡକାମ, ଜଗା କବାସୀ, ହରିରାମ ମଣ୍ଡାବି, ରାଜୁରାମ କରତମ, ଜୟରାମ ପୋଡିୟାମ, ଜଗଦୀଶ କବାସୀ। ସେହିପରି ମୃତ ଡ୍ରାଇଭର ଜଣଙ୍କ ହେଲେ ଧନୀରାମ ଯାଦବ।

 

 

SBI_Festive_Digital Billboard