ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ଆଧାର ସହ ଯୋଡିବାକୁ ପଡ଼ିପାରେ : କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ

ଦିଲ୍ଲୀ, ୬/୧: ବ୍ୟାଙ୍କ ଆକାଉଣ୍ଟ ସହ ଆଧାରକୁ ସଂଯୋଗ କରିବା ପରେ ଶୀଘ୍ର ହିଁ ଆପଣଙ୍କୁ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ଆଧାର ସହ ଯୋଡିବାକୁ ପଡ଼ିପାରେ। କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର ଖୁବ୍ ଶୀଘ୍ର ଡ୍ରାଇଭିଙ୍ଗ ଲାଇସେନ୍ସ-ଆଧାର ଲିଙ୍କିଙ୍ଗକୁ ବାଧ୍ୟତାମୂଳକ କରି ପାରନ୍ତି। ଉଲ୍ଲେଖଯୋଗ୍ୟ ଆଧାରର ବାଧ୍ୟତାମୂଳକକୁ ନେଇ ଅଧିକ ବିବାଦ ପରେ ସରକାରଙ୍କୁ ସୁପ୍ରିମକୋର୍ଟରୁ କିଛି ସର୍ତ୍ତ ସହିତ ସବୁଜ ସଙ୍କେତ ମିଳିଥିଲା।
ଇଣ୍ଡିଆନ ସାଇନ୍ସ କଂଗ୍ରେସରେ କେନ୍ଦ୍ର କାନୁନ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ ଆମେ ଶୀଘ୍ର ଏକ କାନୁନ ଆଣିବାକୁ ଯାଉଛୁ, ଯାହା ଆଧାର-ଡ୍ରାଇଭିଙ୍ଗ ଲାଇସେନ୍ସର ସଂଯୋଗୀକରଣକୁ ବାଧ୍ୟତାମୂଳକ କରିବ। ଏବେ ଯେ କହି ଦୁର୍ଘଟଣା ଘଟାଇବା ପରେ ପଳାୟନ କରୁଛି ଏବଂ ଦ୍ଵିତୀୟ ଲାଇସେନ୍ସ ତିଆରି କରି ନେଉଛି। ଏଥିରେ ଅଭିଯୁକ୍ତ ଦଣ୍ଡରୁ ବର୍ତ୍ତି ଯାଉଛି। ମାତ୍ର ଆଧାର ଲିଙ୍କିଙ୍ଗ୍ ପରେ ଆପଣ ନିଜର ନାମ ପରିବର୍ତ୍ତନ କରି ପାରିବେ ମାତ୍ର ବାୟୋମେଟ୍ରିକକୁ ବଦଳାଇ ପାରିବେ ନାହିଁ। ଆଖିର ପତା ଓ ଆଙ୍ଗୁଳିର ଚିହ୍ନକୁ ଆପଣ ବଦଳାଇ ପାରିବେ ନାହିଁ। ଯେମିତି ଆପଣ ନୂତନ ଲାଇସେନ୍ସ ତିଆରି ପାଇଁ ଯିବେ ତେବେ, ସିଷ୍ଟମ ଜଣାଇ ଦେବ ଯେ ଏହି ବ୍ୟକ୍ତିଙ୍କର ପୂର୍ବରୁ ଲାଇସେନ୍ସ ରହିଛି। ତେଣୁ ଦ୍ଵିତୀୟ ଲାଇସେନ୍ସ ଦିଆନଯାଉ।

କେନ୍ଦ୍ରର ଡିଜିଟାଲ ଇଣ୍ଡିଆ କାର‌୍ୟ୍ୟକ୍ରମକୁ ନେଇ ମନ୍ତ୍ରୀ ଦୃଢତାର ସହ କହିଛନ୍ତି ଯେ ଏଥିରେ ସହର ଓ ଗ୍ରାମାଞ୍ଚଳ ଇଲାକା ମଧ୍ୟରେ ଦୂରତା ହ୍ରାସ ଘଟିବ। ଏ ହେଉଛି ଭାରତ ଡିଜିଟାଲ ପ୍ରୋଫାଇଲ ଯେଉଁଠି ୧୨୩ କୋଟି ଆଧାରକାର୍ଡ, ୧୨୧ କୋଟି ମୋବାଇଲ ଫୋନ୍, ୪୪.୬ କୋଟି ସ୍ମାର୍ଟଫୋନ୍, ୫୬ କୋଟି ଇଣ୍ଟରନେଟ୍ ୟୁଜର୍ସ, ଇ-କମର୍ସରେ ୫୧ ପ୍ରତିଶତ ବୃଦ୍ଧି ଏବଂ ୧୩୦ କୋଟି ଜନସଂଖ୍ୟା ରହିଛନ୍ତି।