ଭେକ୍ଟର ବାହିତ ରୋଗରେ ପ୍ରତିବର୍ଷ ମରୁଛନ୍ତି ୭ ଲକ୍ଷ ଲୋକ : ୨୦୩୦ ସୁଦ୍ଧା ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ

ଭୁବନେଶ୍ବର,୧୦/୧: ବିଶ୍ୱର ୧୭ ପ୍ରତିଶତ ‌ଲୋକ ଭେକ୍ଟରବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେଥିମଧ୍ୟରୁ ପ୍ରତିବର୍ଷ ୭ ‌ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟ ଅନୁଯାୟୀ, ୩.୯ ବିଲିୟନ୍‌ ଲୋକ ଡେଙ୍ଗୁ ଆକ୍ରାନ୍ତ ପରିସରକୁ ଆସୁଥିବା ବେଳେ ସେଥିମଧ୍ୟରୁ ପ୍ରତିବର୍ଷ ୯୬ ମିଲିୟନ ଲୋକ ଆକ୍ରାନ୍ତ ହେଉଛନ୍ତି। ମୁଖ୍ୟତଃ ମଶାଙ୍କ ଯୋଗୁଁ ଅଧିକାଂଶ ଭେକ୍ଟର ବାହିତ ରୋଗ ବ୍ୟାପୁଛି ବୋଲି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ-ରିଜିଓନାଲ ‌ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆଇସିଏମ୍‌ଆର-ଆରଏମ୍‌ଆରସି) ଓ ନ୍ୟାସନାଲ ଏକାଡେମି ଅଫ୍‌ ଭେକ୍ଟର-ବର୍ଣ୍ଣ-ଡିଜିଜ୍‌(ଏନ୍‌ଏଭିବିଡି)ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ୧୪ତମ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ.ପି ଦାଶ କହିଛନ୍ତି।

ହୋଟେଲ ସ୍ଵସ୍ତି ପ୍ରିମିୟମ୍‌ରେ ଆଜି ସମ୍ମିଳନୀକୁ ଉଦ୍‌ଘାଟନ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଲେ, ମ୍ୟାଲେରିଆ ନିୟନ୍ତ୍ରଣ ଓଡ଼ିଶା ପାଇଁ ସବୁଠାରୁ ବଡ଼ ଆହ୍ବାନ। ରାଜ୍ୟର ୨୨ ଜିଲ୍ଲାର ୪୬ ନିୟୁତ ଲୋକ ଏହାଦ୍ବାରା ପ୍ରଭାବିତ ହେଉଥିଲେ। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଦମନ(ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) କାର୍ଯ୍ୟକ୍ରମ ଓ ଆଶାକର୍ମୀଙ୍କ ସହାୟତାରେ ସଫଳତା ମିଳିଛି। ୨୦୩୦ ସୁଦ୍ଧା ଡବ୍ଲୁଏଚ୍‌ଓରୁ ମ୍ୟାଲେରିଆ ନିରାକରଣ ସାର୍ଟିଫିକେଟ୍‌ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୭ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୩.୨୩ ଲକ୍ଷ ମ୍ୟାଲେରିଆ ଘଟଣା ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ଏହି ସମୟ ମଧ୍ୟରେ ୫୫,୩୬୮ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ବର୍ଷରେ ରେକର୍ଡ ସଂଖ୍ୟକ ୮୪ ପ୍ରତିଶତ ହ୍ରାସ ପାଇଛି। ମ୍ୟାଲେରିଆ ସମେତ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗର ମୁକାବିଲା ପାଇଁ ଆରଏମ୍‌ଆରସି ଗବେଷଣା ହବ୍‌ ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଜେନା ପ୍ରସ୍ତାବ ଦେଇଛନ୍ତି।

ଆଇସିଏମ୍‌ଆରର ପୂର୍ବତନ ମହାନିର୍ଦେଶକ ପଦ୍ମଭୂଷଣ ପ୍ରଫେସର ଏନ୍‌ କେ ଗାଙ୍ଗୁଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ବିଶ୍ୱର ସମସ୍ତ ଦେଶ ଉପରେ ସହରୀକରଣ, ଗ୍ଲୋବାଲ ୱାର୍ମିଂର ପ୍ରଭାବ ପଡ଼ୁଛି। ଫଳରେ ଭେକ୍ଟରବାହିତ ରୋଗ ବହୁ ପରିମାଣରେ ବ୍ୟାପୁଛି। ଏହାଦ୍ବାରା ଦେଶର ଅର୍ଥନୀତି ପ୍ରଭାବିତ ହେଉଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ କୁମାର ମେହର୍ଦ୍ଦା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ବରସ୍ଥିତ ଆଇସିଏମ୍‌ଆର-ଆରଏମ୍‌ଆରସିର ନିର୍ଦେଶିକା ସଙ୍ଘମିତ୍ରା ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ଡ. ଏମ୍‌ ଆର୍‌ ରଞ୍ଜିତ୍‌ ବାର୍ଷିକ ରିପୋର୍ଟ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ଆଇସିଏମ୍‌ଆର-ଏନ୍‌ଆଇଏମ୍‌ଆର ନିର୍ଦେଶକ ନବୀନ ଭାଲେଚା, ଏନ୍‌ଏଭିବିଡିର ପୂର୍ବତନ ଅତିରିକ୍ତ ନିର୍ଦେଶକ ଆର୍‌.ଏସ୍‌ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥି‌ଲେ। ଏହି ଅବସରରେ ଏନ୍‌ଏଭିବିଡି ପୁରସ୍କାର ପ୍ରଦାନ କରାଯାଇଥିଲା। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶ ଓ ବିଦେଶରୁ ୪୦୦ରୁ ଅଧିକ ଗବେଷକ, ବିଶେଷଜ୍ଞ ସାମିଲ ହୋଇଛନ୍ତି।