ଆସନ୍ତାକାଲି ପ୍ରଥମ ଦିନିକିଆ, ବିଜୟ ଅଭିଯାନରେ ଟିମ ଇଣ୍ଡିଆ

ସିଡ୍‌ନୀ,୧୧/୧: ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ଟେଷ୍ଟ୍‌ ସିରିଜ୍‌ ଜିତି ଗଭୀର ଆତ୍ମବିଶ୍ୱାସ ସହ ଟିମ୍‌ ଇଣ୍ଡିଆ ଆସନ୍ତାକାଲିଠାରୁ ଘରୋଇ ଦଳ ସହ ଦିନିକିଆ ସିରିଜ୍‌ ଖେଳିବ। ସେହିପରି ଗତ ୮ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତି ବ୍ୟାକ୍‌ଫୁଟ୍‌ରେ ଥିବା ଘରୋଇ ଅଷ୍ଟ୍ରେଲିଆ ସବୁ କିଛି ଓଲଟପାଲଟ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସିଡ୍‌ନୀରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ଭାରତୀୟ ସମୟ ସକାଳ ୭.୫୦ରେ ଆରମ୍ଭ ହେବ।

ଭାରତ ଦୀର୍ଘ ୧୧ ବର୍ଷ ହେଲା ଅଷ୍ଟ୍ରେଲିଆ ମାଟିରେ କୌଣସି ଦିନିକିଆ ସିରିଜ୍‌ ଜିତିନାହିଁ। ତେଣୁ ଇତିହାସ ବଦଳାଇବାର ଲକ୍ଷ୍ୟ ନେଇ ବିରାଟ୍‌ ବାହିନୀ ପଡ଼ିଆକୁ ଓହ୍ଲାଇବ। ତେବେ ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଲମ୍ବିତ ହୋଇଥିବାରୁ ଦଳ ସାମାନ୍ୟ ଚିନ୍ତାରେ ରହିବ। ୨୦୦୮ରେ ଭାରତ ଶେଷଥର ପାଇଁ ଅଷ୍ଟ୍ରେଲିଆରେ ସିରିଜ୍‌ ଜିତିଥିଲା। ସେତେବେଳେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଥିଲେ। ସେହିପରି ଅଷ୍ଟ୍ରେଲିଆ ତା’ର ଷ୍ଟାର ଖେଳାଳି ଷ୍ଟିଭ୍‌ ସ୍ମିଥ ଓ ଡେଭିଡ୍‌ ୱାର୍ଣ୍ଣରଙ୍କ ବିନା ତୃତୀୟ ଦିନିକିଆ ସିରିଜ୍‌ ଖେଳିବ। ଅଷ୍ଟ୍ରେଲିଆ ଏହାପୂର୍ବରୁ ଇଂଲଣ୍ଡ ସହ ୫ଟି ଓ ଦକ୍ଷିଣ ଆଫ୍ରିକା ସହ ୩ଟିକିଆ ଦିନିକିଆ ସିରିଜ୍‌ ଖେଳିଥିଲା। ତେବେ ଏହା ମଧ୍ୟରୁ ମାତ୍ର ଗୋଟିଏ ମ୍ୟାଚ୍‌ରେ ଦଳ ଜିତିବାକୁ ସକ୍ଷମ ହୋଇଛି।

ଅନ୍ୟପକ୍ଷରେ ଭାରତ ଗତ ୯ ମାସ ମଧ୍ୟରେ ୧୪ଟି ଦିନିକିଆ ଖେଳିଥିବା ବେଳେ ୯ଟିରେ ଜିତିଛି। ସେହିପରି ୨ଟି ମୁକାବିଲା ଟାଇ ରହିଛି। ଭାରତ ଆଜି ଯାଏ ଅଷ୍ଟ୍ରେଲିଆରେ ୪୮ଟି ଦିନିକିଆ ଖେଳିଥିବା ବେଳେ ମାତ୍ର ୧୧ଟିରେ ଜିତି ପାରିଛି। ଭାରତ ଓ ଅଷ୍ଟ୍ରେଲିଆ ୧୨୮ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ମାତ୍ର ୪୫ଟି ମ୍ୟାଚ୍‌ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୭୩ଟି ମ୍ୟାଚ୍‌ ଜିତିଛି। ୧୦ଟି ମ୍ୟାଚ୍‌ର ଫଳାଫଳ ବାହାରିପାରିନାହିଁ। କିନ୍ତୁ ବିରାଟ୍‌ ବାହିନୀ ଏଥର ନିଶ୍ଚିତ ଭାବେ କଙ୍ଗାରୁ ଟିମ୍‌କୁ ମାତ ଦେବାକୁ ଚେଷ୍ଟା କରିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧୱନ,ବିରାଟ କୋହଲି, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(ୱି), କେଦାର ଯାଦବ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ/ ୟୁଜବେନ୍ଦର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦ।

ଅଷ୍ଟ୍ରେଲିୟ ଦଳ: ଆରୋନ୍‌ ଫିଞ୍ଚ, ଆଲେକ୍ସ କେରୀ, ଉସମାନ ଖ୍ୱାଜା, ଶନ୍‌ ମାର୍ଶ, ପିଟର ହ୍ୟାଣ୍ଡସ୍କମ୍ୱ, ଗ୍ଲେନ୍‌ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍‌, ନେଥନ ଲାୟନ, ପିଟର ସିଡଲ୍‌, ଜେ ରିଚାର୍ଡସନ୍‌, ଜେସନ୍‌ ବେହେରନ୍‌ଡ୍ରୋଫ୍‌।