ଭୁବନେଶ୍ୱର, ୧୪/୧: ଆଧୁନିକ ଓଡ଼ିଶା ଗଠନ ଓ ବିକାଶରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ବିଶେଷ ଅବଦାନ ରଖିଯାଇଛନ୍ତି। ଜଣେ ରାଜା ଭାବରେ ସେ ଲୋକମାନଙ୍କୁ ଉତ୍ତମ ଶାସନ ଦେଇଥିଲେ। ଉତ୍କଳ ଜନନୀଙ୍କ ସୁପୁତ୍ର ଭାବରେ ସେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନେଇଥିଲେ। ସେ ଏକାଧାରାରେ ଜଣେ ଆଦର୍ଶ ଶାସକ, ଆଦର୍ଶ ଲୋକ ପ୍ରତିନିଧି ଓ ଆଦର୍ଶ ମଣିଷ ଥିଲେ। ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରବିବାର ସୂଚନା ଭବନଠାରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭୁବନେଶ୍ୱରରେ ରାଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି।
ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜଣେ ଲୋକ ପ୍ରତିନିଧି ଏବଂ ମନ୍ତ୍ରୀ ଭାବରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ତାଙ୍କର ଗଣତାନ୍ତ୍ରିକ ଦାୟିତ୍ବ ସଫଳତାର ସହ ତୁଲାଇଥିଲେ। ଶିକ୍ଷା, ବିଶେଷ କରି ନାରୀ ଶିକ୍ଷାର ପ୍ରସାର ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନକୁ ଭୁଲିହେବ ନାହିଁ। ଗଣତନ୍ତ୍ର ଓ ରାଜତନ୍ତ୍ର ଉଭୟରେ ସେ ସଫଳ ହୋଇଥିଲେ। ତାଙ୍କର ତ୍ୟାଗ, ପ୍ରତିବଦ୍ଧତା ଓ ମାନବିକତାକୁ ଗ୍ରହଣ କରି କାର୍ଯ୍ୟ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏମ୍ପି ସିଦ୍ଧାନ୍ତ ମହାପାତ୍ର, ବଳଭଦ୍ର ମାଝି, ବିଧାୟିକା ନନ୍ଦିନୀ ଦେବୀ, ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ସମ୍ମାନିତ ଅତିଥିଭାବରେ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୀବନୀ ଓ ବ୍ୟକ୍ତିତ୍ବ ଉପରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ। ମା’ ଦେବୀ ନାଟ୍ୟ କଳା ସଂସଦ, ସାନଖେମୁଣ୍ଡି, ଗଞ୍ଜାମ ଦ୍ବାରା ଭାରତ ଲୀଳା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ବର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ।