ଭୁବନେଶ୍ଵର,୧୪ /୧: ହାଇକୋର୍ଟର ସ୍ଥାୟୀ ବେଞ୍ଚ କେଉଁ କେଉଁ ଅଞ୍ଚଳକୁ ନେଇ ପ୍ରତିଷ୍ଠା ହେବ, ଏହି ବେଞ୍ଚରେ କେତେ ଜଣ ଜଜ ରହିବେ ଓ ଭିତ୍ତିଭୂମି ସଂକ୍ରାନ୍ତରେ କିଛି ଉଲ୍ଲେଖ ନକରି ରାଜ୍ୟ ସରକାର କେବଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଚାଲିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ପ୍ରଥମେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ କଥା ହେବାକୁ ରବି ଶଙ୍କର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଯଶଓ୍ଵନ୍ତ ସିଂହ କମିସନଙ୍କ ସୁପାରିଶ ଅନୁସାରେ ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ ବୋଲି ରବି ଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି।
ରାଜ୍ୟ ସରକାର ପ୍ରଥମେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ କଥା ହୁଅନ୍ତୁ। ଯଶଓ୍ଵନ୍ତ ସିଂହ କମିଶନଙ୍କ ସୁପାରିଶ ଅନୁସାରେ ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ। ଉଭୟ ମୁଖ୍ୟ ବିଚାରପତି ଓ ରାଜ୍ୟ ସରକାର ଏନେଇ ସହମତ ହେବା ଜରୁରୀ। ଉଭୟଙ୍କୁ ସୁପାରିଶ ପରେ ଯାଇ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେବେ ବୋଲି ରବି ଶଙ୍କର ପ୍ରସାଦ ଚିଠିରେ ଉଲ୍ଲେଖ କରିଛନ୍ତି।