ଭୁବନେଶ୍ୱର , ୨୩/୧ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୨ ତମ ଓ ବୀର ସୁରେନ୍ଦ୍ର ସାଏଙ୍କର ୨୧୧ତମ ଜୟନ୍ତୀ । ନେତାଜୀଙ୍କ ଜୟନ୍ତୀ ପାଇଁ ତାଙ୍କ ଜନ୍ମସ୍ଥାନ କଟକ ଉତ୍ସବମୁଖର ହୋଇଉଠିଛି । ଆଜି ଭୋର ସାଢେ ୪ଟାରୁ ରାମଧୂନ ବଜାଯିବା ସହ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ନେତାଜୀଙ୍କ ପ୍ରକୋଷ୍ଠରେ ହୋମ ଯଜ୍ଞ ହେବାର ଆୟୋଜନ ହୋଇଥିବାବେଳେ ସଂଗ୍ରହାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।
ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରଖାଯାଇଛି । ରାଜ୍ୟପାଳ ଗଣେଶୀ ଲାଲ ସେଠାରେ ପହଂଚିବା ପରେ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି । ନେତାଜୀଙ୍କ ସଂଗ୍ରହାଳୟକୁ ଯାଇ ପରିଦର୍ଶନ କରିଛନ୍ତି ଶ୍ରୀ ଗଣେଶୀ ଲାଲ । ଆଜି ସାଢେ ୧୧ ଟାରେ ମୁଖ୍ୟମନ୍ତ୍ରୀ ପହଂଚି ପତାକା ଉତୋଳନ କରିବା ପରେ ନେତାଜୀଙ୍କ ପ୍ରକୋଷ୍ଠରେ ହୋମଯଜ୍ଞ ଅନୁଷ୍ଠିତ ହୋଇଛି । ଏହା ସହ ପ୍ରଥମ ଥର ପାଇଁ ବାଲୁକାକଳା ଓ ଚିତ୍ରକଳାକୁ ପ୍ରଦର୍ଶନ କରାଯାଇଛି ।
ସେହିପରି ଜାତୀୟ ମୁକ୍ତି ସଂଗ୍ରାମର ଆଗଧାଡିର ନାୟକ ବୀର ସୁରେନ୍ଦ୍ର ସାଏଙ୍କର ଆଜି ୨୧୧ତମ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ହିଣ୍ଡା ଗାଁରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ ହୋଇଛି । ଆଜି ସକାଳୁ ହିଣ୍ଡା ଗାଁରେ ଥିବା ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାନ୍ୟ ଅର୍ପଣ କରାଯାଇଥିଲା । ଇଂରେଜ ସାମ୍ରାଜ୍ୟକୁ ବିରୋଧ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦେଶ ସ୍ୱାଧୀନ ହେବାର ପ୍ରାୟ ୩୦ ବର୍ଷ ପୂର୍ବରୁ ସେ ଇଂରେଜଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଏହି ମହାନ ବ୍ୟକ୍ତିତ୍ୱଙ୍କର ୨୧୧ତମ ଜୟନ୍ତୀକୁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିବା ଦେଖାଯାଇଛି ।