ନୂଆଦିଲ୍ଲୀ, ୨୯/୧: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ ଆଉ ନାହାନ୍ତି । ୮୮ ବର୍ଷ ବୟସରେ ନୂଆଦିଲ୍ଲୀରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଆଲଜିମର ରୋଗରେ ଆକ୍ରାନ୍ତ ରହିଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଦେଶ ଏକ ଆଦର୍ଶବାଦୀ ନେତାଙ୍କୁ ହରାଇଛି ।
ତାଙ୍କ ଜୀବନଶୈଳୀ ଖୁବ ନିରାଡମ୍ବର ରହିଥିଲା । ସେ ବାଜପେୟୀ ସରକାରରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ । ସେହି ସମୟରେ ପୋଖରାନ ପରୀକ୍ଷଣ ହୋଇଥିଲା । ୧୯୯୬ ରୁ ୨୦୦୪ ପର୍ୟ୍ୟୀନ୍ତ ନାଳନ୍ଦା ସାଂସଦ, ୨୦୦୪- ୦୯ ମୁଜାଫରପୁର ଏମପି, ୨୦୦୯ ଅଗଷ୍ଟରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ସେ ବିହାର ରାଜ୍ୟସଭାର ସାଂସଦ ରହିବା ସହ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ରେଳମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ସେ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିଲେ । ଏହା ସହ ୧୯୩୦ ଜୁନ ୩ରେ ଜନ୍ମଗ୍ରହଣ କରିଥିବା ଫର୍ଣ୍ଣାଣ୍ଡିଜ ସମତା ଦଳର ପ୍ରତିଷ୍ଠାତା ସହ ଏନଡିଏର ଆବାହକ ଥିଲେ ।