ଜି ଟିଭିରେ ପ୍ରସାରିତ ସଂଗୀତ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ସା ରେ ଗା ମା ପା’ରେ ପଡିଛି ପୂର୍ଣ୍ଣଚ୍ଛେଦ । ଶୋ’ରେ ଭାଗ ନେଇଥିବା ସବୁ ପ୍ରତିଯୋଗୀଙ୍କୁ ପଚ୍ଛରେ ପକାଇ ବିଜୟ ମୁକୁଟକୁ ନିଜ ଅକ୍ତିଆରକୁ ଆଣିଛନ୍ତି ଜବଲପୁରର ଈଶିତା ବିଶ୍ୱକର୍ମା । ଷୋହଳ ବର୍ଷୀୟ ଇଶିତା ବିଜୟ ବାବଦକୁ ନଗଦ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ସହ ହୁଣ୍ଡା କାର୍ ନିଜ ସହ ନେଇଛନ୍ତି । ଶୋ’ରେ ଗେଷ୍ଟ ସାଜିଥିବା କଙ୍ଗନା ରଣାୱତ ଈଶିତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ । ସା ରେ ଗା ମା ପା’ର ପ୍ରଥମ ରନର-ଅପ୍ ତନ୍ମୟ ଚର୍ତୁବେଦୀ ହୋଇଥିବାବେଳେ ଦ୍ୱିତୀୟ ରନର-ଅପ୍ ହୋଇଛନ୍ତି ଅନ୍ୟ ପ୍ରତିଯୋଗୀ ସୋନୁ ଗିଲ୍ । ମଧ୍ୟପ୍ରଦେଶର ଯୁବା-ପ୍ରତିଭା ଈଶିତା ଯେ କେବଳ ଗୀତ ଗାନ୍ତି ତା’ ନୁହେଁ ସେ ଛୋଟବେଳୁ ସମାଜକଲ୍ୟାଣ କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛନ୍ତି । ମଧ୍ୟପ୍ରଦେଶରେ ବାଲ୍ୟ ବିବାହ ବିରାଧରେ ସେ ପ୍ରଚାର କରିବା ସହ ଘରଘରବୁଲି ଲୋକଙ୍କୁ ବୁଝାଇଥାନ୍ତି। ମଧ୍ୟପ୍ରଦେଶର ‘ଲାଡ଼ା ଅଭିଯାନ’ର ବ୍ରାଣ୍ଡ ଆମ୍ବାସେଡର ହେଉଛନ୍ତି ଈଶିତା । ତେବେ ଏହି ଶୋ’ ପୂର୍ବରୁ ଈଶିତା ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍ ସିଜିନ୍-୫’ରେ କୁନି ପ୍ରତିଯୋଗୀଭାବେ ଭାଗ ଦେଇସାରିଛନ୍ତି ।