ନୂଆଦିଲ୍ଲୀ,୩୦/୧: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ସମଗ୍ର ଦେଶରେ ପାଳନ ହୋଇଛି। ତେବେ ଅଖିଳ ଭାରତ ହିନ୍ଦୁ ମହାସଭା ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ପୁଣିଥରେ ଗୁଳି କରି ଏହି ଦିବସକୁ ପାଳନ କରିଛି।
ସେହିପରି ଗାନ୍ଧିଜୀଙ୍କୁ ଗୁଳି କରିଥିବା ନାଥୁରାମ ଗଡ଼ସେକୁ ହିନ୍ଦୁ ମହାସଭା ପକ୍ଷରୁ ସହିଦ ଭାବେ ପ୍ରତିପାଦନ କରାଯାଇଛି। ଯାହାକୁ ନେଇ ଏବେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଉତ୍ତର ପ୍ରଦେଶର ଆଲିଗଡ଼ ଠାରେ ମହାସଭାର ଜାତୀୟ ସମ୍ପାଦକ ପୂଜା ଶାଖୁନ ପାଣ୍ଡେ ବୁଧବାର ଗାନ୍ଧିଜୀଙ୍କ ଫଟୋକୁ ଲକ୍ଷ୍ୟ କରି ଗୁଳି କରିଥିଲେ। ସେ ଗୁଳି କରିବା ପରେ ଫଟୋରେ ଥିବା ଗାନ୍ଧିଜୀଙ୍କ ଶରୀରରୁ ରକ୍ତଶ୍ରାବ ହୋଇଥିଲା। ଏହାପରେ ସେ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ। ଅଭିଯୋଗ ଅନୁଯାୟୀ, ନାଥୁରାମ ଗଡ଼ସେ ହିନ୍ଦୁ ମହାସଭାର ସଦସ୍ୟ ଥିଲା। ସେ ୧୯୪୮ ମସିହା ଆଜିର ଦିନରେ ଗାନ୍ଧିଜୀଙ୍କୁ ଗୁଳି କରିଥିଲା।