ଆସନ୍ତାକାଲି ହାମିଲଟନରେ ୪ର୍ଥ ଦିନିକିଆ

ନୂଆଦିଲ୍ଲୀ,୩୦/୧: ନ୍ୟୁଜିଲାଣ୍ଡରେ ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଟିମ ଗୁରୁବାର (ଜାନୁଆରୀ ୩୧)ରେ ୪ର୍ଥ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ । ପାଂଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମ୍ୟାଚ ଟିମ ଇଣ୍ଡିଆର ସ୍ଥାୟୀ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ଶୃଙ୍ଖଳାରେ ୩-୦ରେ ଅଗ୍ରଣୀ ଥିବା ଭାରତ ନିଜର ବିଜୟ ରଥ ଆଗାକୁ ଗଡ଼ାଇବା ପାଇଁ ଯୋଜନା କରୁଛି । ଅନ୍ୟପକ୍ଷରେ ଶୃଙ୍ଖଳା ହରାଇ ସାରିଥିବା ନ୍ୟୁଜିଲାଣ୍ଡ ଆତ୍ମସମ୍ମାନ ପାଇଁ ଉଦ୍ୟମ କରିବ । କାରଣ ଦ୍ୱିପାକ୍ଷୀକ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ଏଭଳି ଦୟନୀୟ ସ୍ଥିତିରେ କେବେ ବି ପରାସ୍ତ ହୋଇ ନାହିଁ ।

ହାମିଲଟନରେ ଭାରତ ଏଯାଏଁ ୯ଟି ମ୍ୟାଚ ଖେଳିଛି । ଏଥିରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ହାମିଲଟନରେ ଭାରତ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଶେଷ ଥର ପାଇଁ ଏଠାରେ ୨୦୧୫ରେ ଖେଳିଥିଲା । ସେହି ସମୟରେ ଭାରତ ୮ ୱିକେଟରେ ଆୟରଲାଣ୍ଡକୁ ପରାସ୍ତ କରିଥିଲା । ଭାରତୀୟ ଟିମ ଏହା ବ୍ୟତୀତ ଏଠାରେ ନ୍ୟୁଜିଲାଣ୍ଡ ଏବଂ ଜିମ୍ବାୱେକୁ ହରାଇଛି ।