ଖଣି ମାଫିଆଙ୍କ କବ୍‌ଜାରେ ଓଡ଼ିଶା ସରକାର : କେଜ୍ରିୱାଲ

ଭୁବନେଶ୍ୱର,୩୧/୧: ସ୍ୱାଧୀନତାର ୭୦ବର୍ଷ ପରେ ବି ଦେଶରେ ବିକାଶ ହୋଇପାରି ନାହିଁ । ସେହିପରି ଓଡ଼ିଶାରେ ମଧ୍ୟ ୨୦ ବର୍ଷର ନବୀନ ସରକାରରେ ମଧ୍ୟ ବିକାଶ ହୋଇ ନାହିଁ। ଏଠାରେ ଖଣି ମାଫିଆଙ୍କ ରାଜ୍‌ ଚାଲିଛି । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି । ଆଜି ବି ଦେଶରେ କୋଟି କୋଟି ଗରିବ ଅଛନ୍ତି ଏବଂ ସବୁଠାରୁ ଅଧିକ ଗରିବ ଓଡ଼ିଶାରେ ଅଛନ୍ତି । କେନ୍ଦ୍ରରେ ଶାସନ କରୁଥିବା ବିଜେପି, ରାଜ୍ୟ ବିଜେଡ଼ି, କଂଗ୍ରେସ ସମସ୍ତେ ଲୁଟୁଛନ୍ତି । ଆଜି ଓଡ଼ିଶା ଗସ୍ତରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସାମାଜିକ ନ୍ୟାୟ ଅଭିଯାନ ସଭାରେ ବର୍ଷିଛନ୍ତି ।

ଖଣିମାଫିଆଙ୍କ କବ୍‌ଜାରେ ଓଡ଼ିଶା ସରକାର ରହିଛନ୍ତି। ରାଜ୍ୟରେ ବିରୋଧୀ ଦଳ ବୋଲି କିଛିନାହିଁ। ଶାସକ ବିଜେଡି କେନ୍ଦ୍ର ଭାଜପାର ପକେଟ୍‌ରେ ରହିଛି। ସେହିପରି ପ୍ରଦେଶ କଂଗ୍ରେସ ବିଜେଡି ପକେଟ୍‌ରେ ରହିଛି। ଦେଶକୁ ଦୀର୍ଘଦିନ ଧରି କଂଗ୍ରେସ, ଭାଜପା ଲୁଟିଛନ୍ତି। ଅନୁରୂପ ଭାବେ ଓଡ଼ିଶାକୁ ବିଜୁ ଜନତା ଦଳ, କଂଗ୍ରେସ ଏବଂ ଭାଜପା ଲୁଟିଛନ୍ତି। ଏଠାରେ ମିଳିତ ଭାବେ ବିଜେଡି-କଂଗ୍ରେସ-ଭାଜପାର ସରକାର ଚାଲୁଛି।

ଆଜି ଅରବିନ୍ଦ କେଜ୍ରିୱାଲ୍‌ ଶିକ୍ଷା, ସ୍ୱାସ୍ଥ୍ୟ, ଖଣି, ବିଜୁଳି ଓ ଖଣି ମାଫିଆଙ୍କୁ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଦିଲ୍ଲୀରେ ଆପ୍‌ ସରକାର ଆସିବା ପୂର୍ବରୁ ପ୍ରାଇଭେଟ୍‌ ସ୍କୁଲ ଲୁଟୁଥିଲେ । କିନ୍ତୁ ଯେବେଠାରୁ ଆପ୍‌ ସରକାର ଆସିଛି ସେବେଠାରୁ ସରକାରୀ ସ୍କୁଲରେ ବିକାଶ ହୋଇଛି । ଏମିତି କି ସେ ନିଜ ପୁଅକୁ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ାଉଥିବା ଅରବିନ୍ଦ କହିଛନ୍ତି । ତେଣୁ ଏଠାକାର ନବୀନ ସରକାର ଥରେ ଦିଲ୍ଲୀ ଯାଇ ସେଠାକାର ସରକାରୀ ସ୍କୁଲଗୁଡ଼ିକୁ ଦେଖି ଆସନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି। ଦିଲ୍ଲୀରେ ବିଜୁଳି ଉତ୍ପାଦନ ହେଉନି କିନ୍ତୁ ସେଠାକାର ଲୋକ ୧ ଟଙ୍କା ୟୁନିଟ୍‌ ପିଛା ଦେଉଛନ୍ତି । ମାତ୍ର ଓଡ଼ିଶାରେ ବିଜୁଳି ଉତ୍ପାଦନ ହୋଇ ମଧ୍ୟ ୟୁନିଟ୍‌ ପିଛା ୫ଟଙ୍କା ଦେବାକୁ ପଡ଼ୁଛି । କେଜ୍ରିୱାଲ ମଧ୍ୟ ଓଡ଼ିଶାରେ ଖଣିମାଫିଆଙ୍କ ପ୍ରଭାବକୁ ନେଇ ଟାର୍ଗେଟ୍‌ କରିଛନ୍ତି । ଓଡ଼ିଶା ସରକାର ସମ୍ପୂର୍ଣ୍ଣଭାବରେ ଖଣି ମାଫିଆଙ୍କ କବ୍‌ଜାରେ ରହିଛନ୍ତି ।