ଭୁବନେଶ୍ୱର,୪/୨: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ହରିହର କରଣଙ୍କ ପରଲୋକ ଘଟିଛି। ସେପ୍ଟିସେମିଆ ରୋଗରେ ପୀଡିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୨ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୭ରେ ଜନ୍ମଗ୍ରହଣ କରିଥିବା ହରିହର ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। ୧୯୬୮ରୁ ୭୧ ମସିହା ଯାଏ କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଥିଲେ। ପ୍ରଥମେ ସ୍ବାଧୀନ ଭାବେ ଲଢି ୧୯୭୪ରେ ଷଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦକ ଓ ଏଆଇସିସି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ୱାଦଶ ବିଧାନସଭାରେ ହରିହର କରଣ ସଦସ୍ୟ ଥିଲେ। ପରେ ୧୯୮୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୨୦୧୩ ମସିହାରେ ହରିହର କରଣ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ଥିଲେ।