ନ୍ୟୁଜିଲାଣ୍ଡରେ ଆସନ୍ତାକାଲି ‘ସୁପର ସଣ୍ଡେ’

ହାମିଲଟନ, ୯/୨: ବିଶ୍ଵ କ୍ରିକେଟରେ ସଫଳତାର ଅନେକ କୀର୍ତ୍ତମାନ ସ୍ଥାପନ କରିଥିବା ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ସିରିଜର ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ଜିତି ବିଦେଶ ମାଟିରେ ଆଉ ଏକ ରେକର୍ଡ କରିବାକୁ ଚାହିଁବ। ଗତ ତିନି ମାସ ଭାରତ କ୍ରିକେଟ୍ ପାଇଁ ସୁଖଦ ରହିଛି। ଏହି ସମୟରେ ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ନିଜ ନାମରେ କରିଥିଲା। ଏହା ପରେ ଦଳ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଙ୍କୁ ତାରି ଘରେ ଦିନିକିଆ ସିରିଜରେ ପରାସ୍ତ କଲା।

ଭାରତୀୟ ଦଳ ବିଦେଶ ମାଟିରେ ଚଳିତ କ୍ରିକେଟ୍ ବର୍ଷର ସମାପନ ନ୍ୟୁଜିଲାଣ୍ଡରେ ଦ୍ଵିପାକ୍ଷିକ ଟି-୨୦ ଅନ୍ତରାଷ୍ଟ୍ରୀୟ ସିରିଜ୍ ବିଜୟ ସହିତ କରିବାକୁ ଚାହିଁବ। ସିରିଜ୍ ଏବେ ୧-୧ରେ ବରବାର ରହିଛି ଏବଂ ରବିବାର ପ୍ରଶଂସକଙ୍କ ପାଇଁ ସୁପର ସଣ୍ଡେ ହେବ।
ଏବେ ଭାରତ ପାଖରେ ନ୍ୟଜିଲାଣ୍ଡ ମାଟିରେ ପ୍ରଥମ ଥର ଟି-୨-୦ ସିରିଜ୍ ଜିତିବାର ସୁଯୋଗ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହା ପୂର୍ବରୁ ଏକ ମାତ୍ର ଟି-୨୦ ସିରିଜ୍ ୨୦୦୮-୦୯ରେ ଖେଳାଯାଇଥିଲା। ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୦-୨ରେ ପରାଜିତ ହୋଇଥିଲା। ଏବେ ଚଳିତ ସିରିଜର ଅନ୍ତିମ ମୁକାବିଲା ହାମିଲଟନରେ ଖେଳାଯିବ। ଏହି ପଡିଆରେ ଭାରତ ଚତୁର୍ଥ ଦିନିକିଆରେ ମାତ୍ର ୯୨ ରନରେ ଅଲଆଉଟ୍ ହୋଇଥିଲା।

ତେଣୁ ହାମିଲଟନ ପିଚ ପ୍ରତି ଭାରତୀୟ ଦଳକୁ ସାବଧାନ ରହିବାକୁ ପଡ଼ିବ। ଏହି ପଡିଆରେ ଖେଳାଯାଇଥିବା ଚତୁର୍ଥ ଦିନିକିଆରେ ଟ୍ରେଣ୍ଟ ବୋଲ୍ଟଙ୍କ ନେତୃତ୍ଵରେ ନ୍ୟୁଜିଲାଣ୍ଡର ସ୍ଵିଙ୍ଗ ବୋଲର ଭାରତକୁ ମାତ୍ର ୯୨ ରନରେ ଅଲଆଉଟ୍ କରିଥିଲେ। କିନ୍ତୁ ଦ୍ଵିତୀୟ ଟି-୨୦ ଜିତିଥିବା ଭାରତୀୟ ଦଳ ଉତ୍ସାହରେ ଭରପୂର ରହିଛି। ଅକଲାଣ୍ଡରେ ରୋହିତ ୨୯ଟି ବଲରୁ ୫୦ ରନ କରି ଭାରତକୁ ବିଜୟୀ କରାଇବାରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେବା ସହିତ ଟି-୨୦ ଅନ୍ତରାଷ୍ଟ୍ରୀୟରେ ସବୁଠୁ ଅଧିକ ରନହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି।

ରବିବାର ହାମିଲଟନର ସ୍ଥିତି ଭିନ୍ନ ରହିବ ଏବଂ ବିଦେଶ ମାଟିରେ ଭାରତର ପରିସ୍ଥିତି ଚ୍ୟାଲେଞ୍ଜିଂ ରହିବ। ଅନ୍ତିମ ଟି-୨୦ରେ ଯଦି ଦଳରେ ପରିବର୍ତ୍ତନ କରାଯାଏ ତେବେ ୟୁଜବେନ୍ଦ୍ର ଚହଲଙ୍କ ଜାଗାରେ କୁଲଦୀପଙ୍କୁ ସୁଯୋଗ ମିଳିପାରେ। କିନ୍ତୁ କ୍ରିକେଟରେ ଏହି ଫର୍ମାଟରେ ଦଳ ଚହଲଙ୍କ ଉପରେ ବେଶି ଭରସା କରିଛି।

କୃଣାଲ ପାଣ୍ଡ୍ୟା ପୁଣି ଥରେ ଦ୍ଵିତୀୟ ମ୍ୟାଚର ପ୍ରଦର୍ଶନ ଦୋହରାଇବାକୁ ଚାହିଁବେ। ଦ୍ରୁତ ବୋଲିଂର ଦାୟିତ୍ଵ ଭୁବନେଶ୍ଵର କୁମାର ଓ ଯୁବ ଖଲିଲ ଅହମ୍ମଦଙ୍କ ଉପରେ ରହିବ। ରୋହିତ ଶର୍ମା ଓ ଶିଖର ଧାଓ୍ଵନ ପୁଣି ଥରେ ଭାରତକୁ ଭଲ ଆରମ୍ଭ ଦେବାକୁ ଚେଷ୍ଟା କରିବେ। ମଧ୍ୟ କ୍ରମର ବ୍ୟାଟିଂ ଦାୟିତ୍ଵ ଅନୁଭବୀ ମହେନ୍ଦ୍ର ସିଂହ ଧୋନୀଙ୍କ ଉପରେ ରହିବ। ଦଳ ଋଷଭ ପନ୍ତଙ୍କଠୁ ଭଲ ପାଳି ଆଶା କରିବ।

ଭାରତ- ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, କେଦାର ଯାଦବ, ଏମଏସ ଧୋନୀ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ସିଦ୍ଧାର୍ଥ କୌଲ, ଖଲିଲ ଅହମ୍ମଦ, ଶୁଭମାନ ଗିଲ, ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ।

ନ୍ୟଜିଲାଣ୍ଡ- କେନ ଓ୍ଵିଲିୟମସନ(ଅଧିନାୟକ), ଡଗ ବ୍ରେସଓ୍ଵେଲ, କୋଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗ୍ୟୁସନ, ସ୍କଟ କଲିଗେନ, କୋଲିନ ମୁନରୋ, ଡେରିଲ ମିସେଲ, ମିସେଲ ସାଣ୍ଟନର, ଟିମ୍ ସେଫର୍ଟ, ଇସ ସୋଢି, ଟିମ୍ ସାଉଦି, ରସ୍ ଟେଲର, ବ୍ଲେୟର ଟିକନର, ଜେମ୍ସ ନିସାନ।