ବୁର୍ଲା ମେଡିକାଲ ନିର୍ଦ୍ଦେଶକ ପଦରୁ ଅଶ୍ୱିନୀ ପୂଜାହାରୀଙ୍କ ଇସ୍ତଫା

ସମ୍ବଲପୁର,୯/୨: ଭିମ୍‌ସାରର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅଶ୍ୱିନୀ ପୂଜାହାରୀ। ଲୁଣ ଚିକିତ୍ସାକୁ ନେଇ ବିବାଦ ଘେରକୁ ଆସିଥିବା ବୁର୍ଲା ମେଡିକାଲ ନିର୍ଦ୍ଦେଶକ ପୂଜାହାରୀ ଶନିବାର ଇସ୍ତଫାପତ୍ର ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।

ସରକାରଙ୍କ ନିକଟକୁ ୩/୪ ଥର ଚିଠି ପଠାଇଥିଲି। ମାତ୍ର କୌଣସି ଜବାବ ମିଳି ନ ଥିଲା। ଏହି କଲେଜରେ ପଢ଼ିଥିବାରୁ ଏହାକୁ ସୁଧାରିବା ପାଇଁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲି। ପିଲାଙ୍କର କ୍ଲାସ ଠିକ୍‌ କରିବାଠାରୁ ଆରମ୍ଭ କରି ହସ୍ପିଟାଲ ପରିସରର ପରିଚ୍ଛନ୍ନତା, ନର୍ସ ଓ ଡାକ୍ତରୀଛାତ୍ରଙ୍କ କାର୍ଯ୍ୟ ଉପରେ ନଜର ରଖିଥିଲି। ଯାହାକୁ ନେଇ ମୋ ବିରୋଧର ଷଡ଼ଯନ୍ତ୍ର କରାଯାଉଥିଲା ବୋଲି ପୂଜାହାରୀ କହିଛନ୍ତି।

ପ୍ରକାଶଥାଉ କି, ବୁର୍ଲା ମେଡିକାଲର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂଜାହାରୀ ଚର୍ଚ୍ଚାରେ ରହିଆସୁଛନ୍ତି। ସରକାରୀ ଚାକିରିରେ ଥାଇ ଘରୋଇ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ବିରୋଧରେ ପଦକ୍ଷେପ ନେଇ ସେ ଲୋକପ୍ରିୟ ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଲୁଣ ଚିକିତ୍ସା ପଦ୍ଧତିକୁ ନେଇ ବିବାଦ ଉପୁଜି ଥିଲା। କ୍ୟାନ୍‌ସର ତଥା କୌଣସି ସଂକ୍ରମଣ ହେଲେ ଉପଚାର ଲାଗି ଲୁଣ ଓ ଲେମ୍ବୁ ଚିକିତ୍ସା କରୁଥିବାକୁ ନେଇ ସେ ବିବାଦୀୟ ହୋଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ତାଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା।