ଭଦ୍ରକ ରାଣିତାଲରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜନାଥ ସିଂ

0

ଭଦ୍ରକ, ୧୭/୨: ଆଜି ଭଦ୍ରକ ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଦଳର ବୁଥସ୍ତରୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇଛନ୍ତି ।

ଉଦବୋଧନ ଦେବା ପୂର୍ବରୁ ପୁଲୱାମା ବିସ୍ଫୋରଣରେ ସହିଦଙ୍କୁ ମନେ ପକାଇଛନ୍ତି ରାଜନାଥ । ଏହାସହ ସେଠାରେ ଉପସ୍ଥିତ କର୍ମୀଙ୍କୁ ୨ ମିନିଟ ନୀରବ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କହିଛନ୍ତି । ଏହାପରେ ସେ କର୍ମୀଙ୍କୁ କହିଛନ୍ତି ଯେ, ଭାରତୟ ସାଂସ୍କୃତିକ ଏବଂ ଐତିହାସିକ ଦୃଷ୍ଟିକୋଣରୁ ଓଡିଶା ମହତ୍ୱପୂର୍ଣ୍ଣ । ଏଠାକୁ ଆସିବା ପୂର୍ବରୁ ମା ଭଦ୍ରକାଳୀଙ୍କୁ ଦର୍ଶନ କରିଥିଲି । ଏହା ଜଗନ୍ନାଥଙ୍କ ପବିତ୍ର ଭୂମି । ସମ୍ରାଟ ଅଶୋକଙ୍କୁ ଏହି ଓଡିଶା ମାଟି ବଦଳାଇ ଦେଇଥିଲା । ତାଙ୍କ ହୃଦୟରେ ପରିବର୍ତନ ହୋଇଥିଲା । ସେ ସାଧାରଣ ସମ୍ରାଟରୁ ମହାନ ହୋଇଥିଲେ । ପୂର୍ବ ଭାରତରେ ଓଡିଶାର ସ୍ୱାଧୀନତା ସଂଗ୍ରାମ ଅନନ୍ୟ । ମନୋଜ ବେହେରା, ପ୍ରସନ୍ନ ସାହୁଙ୍କ ଭଳି ଅନେକ ବୀର ଯୁବକ ଭାରତ ମାତା ପାଇଁ ଜୀବନ ଦେଇଛନ୍ତି । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ଗତକାଲି ସମସ୍ତ ରାଜନୈତିକ ଦଳ ଆତଙ୍କବାଦ ଏବଂ ପାକିସ୍ତାନ ବିରୋଧରେ ନିନ୍ଦା କରିଛନ୍ତି । ସମସ୍ତ ଦଳ ସହିଦଙ୍କ ସହ ରହିଛି । ଯବାନଙ୍କ ସହ ରହିଛି । ଗତ ୫ ବର୍ଷରେ ଯବାନମାନେ ଅନେକ ଆତଙ୍କବାଦୀଙ୍କୁ ମାରିଛନ୍ତି । କିନ୍ତୁ ପାକିସ୍ତାନ ଆତଙ୍କବାଦୀଙ୍କୁ ପାଳୁଛି । ଆତଙ୍କବାଦୀଙ୍କ ହତାଶାକୁ ଦେଖି ପାକ୍ ପୁଲୱାମାରେଏତେବଡ ଘଟଣା ଘଟାଇଛି । ସାରା ଦେଶ ବର୍ତମାନ ଏକ ହୋଇଛି । ଭାରତ ଏକ ଗୌରବଶାଳୀ ରାଷ୍ଟ୍ର । ଏହାପଛରେ ସ୍ୱାଭିମାନୀ ଜନତା, ସେନା ଏବଂ ଯୁବକଙ୍କ ହାତ ରହିଛି ।

ଦଳୀୟ କର୍ମୀଙ୍କୁ ରାଜନାଥ କହିଛନ୍ତି କି, ମୁଁ ବୁଥରେ କାର୍ଯ୍ୟ କରିଛି । ବୁଥ କର୍ମୀମାନେ ହିଁ ଦଳର ମଙ୍ଗ ସମ୍ଭାଳିଥାନ୍ତି । ଦଳର କର୍ମୀଙ୍କ ପରିଶ୍ରମର ଫଳ ହେଉଛି ବିଶ୍ୱର ସବୁଠାରୁ ବଡ ପାର୍ଟି ହେଉଛି ବିଜେପି । ଏହି ଦଳ ୧୯୮୪ରେ ୨ଟି ଆସନରେ ବିଜୟ ଲାଭ କରିଥିଲା । ଯାହାକୁ ସେତେବେଳେ ସମାଲୋଚନା କରାଯାଇଥିଲା । କିନ୍ତୁ ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ୨୦୧୪ରେ କୌଣସୀ ଅଣକଂଗ୍ରେସ ଦଳ ସଂସଦରେ ସ୍ପଷ୍ଟ ବହୁମତ ପାଇଛି । ସ୍ୱାଧୀନତା ପରଠାରୁ ଭାରତର ରାଜନୀତି କଂଗ୍ରେସ ହାତମୁଠାରେ ଥିଲା । କିନ୍ତୁ ଲାଲକୃଷ୍ଣ ଆଡଭାନୀ ଏବଂ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଭୁଲ ପ୍ରମାଣିତ କରିଥିଲେ । ୧୯୮୯ରେ ଏଥିରେ ପରିବର୍ତନ ହୋଇଥିଲା । ଏହାପରେ ନରେନ୍ଦ୍ର ମୋଦୀ ଭାରତର ଗୌରବକୁ ବିଶ୍ୱରେ ଉଚ୍ଚ କରିଛନ୍ତି । ତେଣୁ ତାଙ୍କୁ ସାରା ଦେଶ ତାଙ୍କୁ ସ୍ୱାଗତ କରୁଛି । ବିଜେପି ସରକାର ଆସିବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିଷ୍ଠା ବଢିଛି । ଏହି ଦେଶ ଆଉ ଗରୀବ ହୋଇ ରହିନାହିଁ । ଏହା ମୋଦୀଙ୍କ ଉଦ୍ୟମରେ ସମ୍ଭବପର ହୋଇଛି । ୫ ବର୍ଷ ପୂର୍ବରୁ ଯେଉଁ ଦେଶ ଶ୍ରେଷ୍ଠ ୯ ସ୍ଥାନରେ ରହୁଥିଲା ତାହା ଏବେ ନମ୍ବର ୫ରେ ପହଁଚିଛି । ଏପରି ଅନେକ ପଦକ୍ଷେପ ସରକାର ନେଇଛନ୍ତି । ୨୦୩୦ରେ ଭାରତ ରୁଷ, ଆମେରିକା, ଚାଇନାକୁ ପଛରେ ପକାଇ ନମ୍ବର ୩ରେ ପହଁଚିବ । ରାଜ୍ୟର ବିକାଶ ନହେଲେ ଦେଶର ବିକାଶ ହେବ ନାହିଁ ।
ରାଜନାଥ ଆହୁରି କହିଛନ୍ତି ଯେ, ୧୯ ବର୍ଷ ହେଲା ରାଜ୍ୟରେ ସ୍ଥାୟୀ ସରକାର ଅଛି । କିନ୍ତୁ ଓଡିଶାର ବିକାଶ ହୋଇପାରୁ ନାହିଁ । ଓଡିଶାର ଜନତା ଏହା ଜାଣିବା ଦରକାର । ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ଯେଉଁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ଜିଡିପି ରେଟ ୧୦ରୁ ଆରମ୍ଭ ହୋଇ ୧୪ ପ୍ରତିଶତ ରହିଛି । କିନ୍ତୁ ଓଡିଶାରେ ଏହା ହୋଇନାହିଁ । ଏହାକୁ ରାଜ୍ୟବାସୀ ବୁଝିବା ଦରକାର । ସ୍ୱର୍ଗତ ବାଜପେୟୀଙ୍କ ସ୍ୱପ୍ନଥିଲା ଗ୍ରାମର ବିକାଶ ହିଁ ଦେଶର ବିକାଶ । ଏହାପରେ ସେ ଭାରତର ସମସ୍ତ ଗ୍ରାମକୁ ପକ୍କା ରାସ୍ତାରେ ଯୋଡିଥିଲେ । ଯହାକୁ ମୋଦୀ ଆଗେଇ ନେଇଛନ୍ତି । ଆଜି ଦେଶରେ ୪, ୬ ଲେନର ସଡକ ହେଉଛି । ମୋଦୀ ଦ୍ରୁତ ଗତିରେ ପ୍ରତିଦିନ ୨୭, ୨୮ ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି । ଏହାର ଚର୍ଚ୍ଚା ସାରା ବିଶ୍ୱରେ ହେଉଛି । ବସ୍ତିରେ ରହୁଥିବା ଲୋକ ବି ଜନଧନ ଯୋଜନାରେ ବ୍ୟାଙ୍କରେ ଆକାଉଂଟ ଖୋଲିଛି । ଏହାକୁ ନେଇ କିଛି ଦଳ ପ୍ରଶ୍ନ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଭାରତର ଗରିବ ସଦାବେଳେ ଗରୀବ ହୋଇ ନ ରୁହନ୍ତୁ । ସେ ବ୍ୟାଙ୍କକୁ ଯାଇ ଟଙ୍କା ଆଣିପାରିବେ । ଯାହାକୁ ସାରା ବିଶ୍ୱ ପ୍ରଂଶସା କରିଛି । ସାରା ବିଶ୍ୱରେ ଥିବା ବ୍ୟାଙ୍କ ଆକଉଂଟରୁ ୨ ଗୁଣା ଆକାଉଂଟ ୧୦ ମାସରେ ଭାରତରେ ଖୋଲିଛି । ଆୟୁଷ୍ଟାନ ଯୋଜନାକୁ ବିଶ୍ୱ ପ୍ରଶଂସା କରୁଛି । କିନ୍ତୁ ଓଡିଶା ସରକାର ଏହାକୁ ଲାଗୁ କରୁନାହାନ୍ତି । ଯାହା ଦୁଃଖଦାୟକ । ଗରୀବଙ୍କ ନିକଟରେ ଏହି ସନ୍ଦେଶ ପହଁଚିବା ଦରକାର । ସୌଭାଗ୍ୟ ଯୋଜନାରେ କେନ୍ଦ୍ର ସରକାର ପ୍ରତି ଘରେ ବିଜୁଳି ପହଁଚାଇଛନ୍ତିି । କୃଷକଙ୍କ ପରିବାର ବି ଉପକୃତ ହେଉଛନ୍ତି । ସେମାନଙ୍କୁ ମୋଦୀ ଉଚିତ ମୂଲ୍ୟ ଦେଇଛନ୍ତି । ଏମଏସପି ଦେଢଗୁଣା ବଢିଛି । ଏମଏସପି ସମସ୍ୟା କୃଷକଙ୍କୁ ପାଇଁ ବଡ । ବିଜେପି ସରକାର ଆଗାମୀ ଦିନରେ ନିଶ୍ଚୟ ଆସିବ । ସବୁ କୃଷକ ନିଜର ଉତ୍ପାଦର ଦେଢଗୁଣା ଉଚିତ ମୂଲ୍ୟ ପାଇବ । ୨୦୨୨ ସୁଧା କୃଷକଙ୍କ ଆମଦାନୀକୁ ଦ୍ୱିଗୁଣା କରାଯିବ । କିଷାନ ନିଧୀ ଯୋଜନାରେ କୃଷକଙ୍କୁ ୬୦୦୦ ଟଙ୍କା ମିଳିବ । କେନ୍ଦ୍ର ସରକାର ଗରୀବଙ୍କ ଚିନ୍ତା କରୁଛନ୍ତି । ଏପରି ଏକ ଦେଶ ଯେଉଁଠି ପ୍ରତିଘରେ ରୋଷେଇ ପାଇଁ ଗ୍ୟାସ ଥିବ । ଅସଙ୍ଗଠିତ ଶ୍ରମିକଙ୍କୁ ମଧ୍ୟ ୬୦ ବର୍ଷ ପରେ ପ୍ରତିବର୍ଷ ୩୦୦୦ ପେନସନ ମିଳିବ । କଗ୍ରେସ ସମୟରେ ୨୫ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇଥିଲା । ଯାହାକୁ ମୋଦୀ ୪ ବର୍ଷରେ ୧କୋଟି ୩୦ ଲକ୍ଷରେ ପହଁଚାଇଛନ୍ତି । କଂଗ୍ରେସ ବିଜେଡି ସମସ୍ତେ ହତାଶ । ଇଭିଏମକୁ ନେଇ ପ୍ରଶ୍ନ କରନ୍ତି । ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରୁଛନ୍ତି । ଯଦି ଇଭିଏମ ଖରାପ ତେବେ ଏମପି ଛତିଶଗଡରେ କେମିତି ଜିତିଲା ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି । ମୋଦୀଙ୍କୁ ବଦନାମ କରୁଛନ୍ତି । ବିରୋଧୀ ଦେଶ ସହ ମଜାକ କରିଛନ୍ତି । କଂଗ୍ରେସ ନେତା ସମସ୍ତ ସୀମା ପାର କରି ମୋଦୀଙ୍କୁ ଅପଶବ୍ଦ ପ୍ରୟୋଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଦବୀର ମର୍ଯ୍ୟାଦା ରଖୁ ନାହାନ୍ତି ରାହୁଲ ।

ରାହୁଲଙ୍କ ଚୌକିଦାର ଚୋର ହେ ଉପରେ ରାଜନାଥ କହିଛନ୍ତି ଯେ ଦେଶର ‘ଚୌକିଦାର ଚୋର ନେହିଁ ପ୍ୟୋର ହେ । ମୋଦୀ ଫିର ସେ ପ୍ରଧାନମନ୍ତୀ ବନନା ସ୍ୟୋରହେ । ଦେଶକେ ସଭି ସମସ୍ୟା କା କ୍ୟୋର ହେ’ ବିଜେପି ସରକାର ରାଜ୍ୟରେ ଆସିଲେ ବିକାଶ ହେବ । ଏଠାର ଗରୀବ ଦୂର ହେବ । ମୋଦୀ ଭାରତକୁ କେବଳ ଆର୍ଥିକ ନୁହେଁ ବିଶ୍ୱଗୁରୁ ବନାଇବାକୁ ଚାହୁଁଛନ୍ତି । ଏପିର ଭାରତ ଯହା ଧନୀକ ଏବଂ ଜ୍ଞାନ ଏବଂ ବିଜ୍ଞାନରେ ସାରା ଦେଶର ନେତୃତ୍ୱ ନେବ ।
ଏହାସହ ବୁଥ କର୍ମୀଙ୍କୁ ରାଜନାଥ କହିଛନ୍ତି ଯେ ବିଶ୍ୱାସର ସହ ଜନତାଙ୍କ ନିକଟକୁ ଯାଆନ୍ତୁ । ଓଡିଶାର ଗୋଟେ ପରିଚୟ ରହିଛି । ରାଜ୍ୟରେ ସରକାର ଆସିଲେ ଓଡିଶାର ସଂସ୍କୃତିକୁ ବିଖ୍ୟାତ କରାଯିବ । ଏହାର ସ୍ୱତନ୍ତ୍ର ପରିଚୟ ରହିଛି । ଜନତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବାକୁ ସେ କର୍ମୀଙ୍କୁ ସଂକଳ୍ପ ନେବା ପାଇଁ କହିଛନ୍ତି ।

Leave A Reply

Your email address will not be published.