ଭୁବନେଶ୍ୱର, ୧୪/୦୩ : ଭୁଟାନର ୪୦ ଜଣିଆ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ କରିଛନ୍ତି। ଆଜି ସେମାନେ କିଟ୍ ର ସମସ୍ତ କ୍ୟାମ୍ପସ୍ ପରିଦର୍ଶନ କରିବା ସହ କିସ୍ ର ବିଭିନ୍ନ ୟୁନିଟ୍ ବୁଲି ଦେଖିଥିଲେ। ଏହି ଅବସରରେ ସେ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କିଟ୍ ଓ କିସ୍ ରେ ୧୦ ଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁଟାନ ସରକାର କିଟ୍ କୁ ପଠାଇଥିବା ଏହି ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନ କରିବା ସହ ଭୁବନେଶ୍ୱର ତଥା ଲଳିତଗିରି, ରତ୍ନଗିରି, ଉଦୟଗିରି ଭଳି ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିଛନ୍ତି ।ଏହି ଅବସରରେ ଆଜି ଆୟୋଜିତ ଏକ ସ୍ଵତନ୍ତ୍ର ଶିକ୍ଷଣ ଅଧିବେଶନରେ ଭୁଟାନ୍ ପ୍ରତିନିଧିମଣ୍ଡଳ ଓ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା। ଆଲୋଚନା ଅବସରରେ ଶ୍ରୀ ସାମନ୍ତ ସେମାନଙ୍କୁ ଶିକ୍ଷା ଓ ସଂସ୍କାର, କର୍ମ ଓ ଆର୍ଟ ଅଫ୍ ଗିଭିଂ ଆଦି ବିଷୟରେ ବୁଝାଇଥିଲେ। ସେ କହିଲେ, ବର୍ତ୍ତମାନ ସମୟରେ ଶିକ୍ଷା ସହ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ। ଆର୍ଟ ଅଫ୍ ଗିଭିଂ ଉପରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଲେ ଆର୍ଟ ଅଫ୍ ଗିଭିଂ ହେଉଛି ଏକ ଜୀବନ ଦର୍ଶନ । ଦେବାରେ ଆନନ୍ଦ ଥାଏ। କିଟ ଓ କିସ ପରିଦର୍ଶନ ସେମାନଙ୍କୁ ଅନେକ କଥା ଶିଖିବାର ସୁଯୋଗ ଦେଇଛି ବୋଲି ବୌଦ୍ଧ ଶିକ୍ଷକମାନେ କହିଥିଲେ କିଟ ଓ କିସ ପରିଦର୍ଶନକୁ “ଏକ ସୁବର୍ଣ୍ଣ ସୁଯୋଗ” ବୋଲି କହିବା ସହ କିଟ ଓ କିସର ଶିକ୍ଷା ଅଭିଯାନର ଭୂୟସୀ ପ୍ରଶଂସା କରିଥିଲେ।