ଭୁବନେଶ୍ୱର ୧୨/୦୪: ଯୁକ୍ତଦୁଇ ପ୍ରଥମବର୍ଷ ବିଦ୍ୟାର୍ଥୀଙ୍କ ଉତ୍ତରଖାତା ବ୍ରହ୍ମପୁର ଅନ୍ଧପସରା ରୋଡ଼ରେ ଉଡୁଥିବା ବେଳେ କିଛି ଲୋକ ତାକୁ ଗୋଟାଇଛନ୍ତି । ଆଉ କିଛି ସେମିତି ରାସ୍ତାରେ ପଡ଼ିଥିଲା । ତେବେ ଜଣେ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହି ଉତ୍ତରଖାତା ରାସ୍ତାରେ ପଡ଼ିଥିବା ଜଣାପଡିଛି । ତାହା ଶ୍ରୀବେଲେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଉତ୍ତର ଖାତା ବୋଲି ଜଣାପଡିଛି ।
ଯୁକ୍ତଦୁଇ ଇଂରାଜୀ ବିଷୟରେ ୨୦ମାର୍କର ତ୍ରୟୋମାସିକ ଆଭ୍ୟନ୍ତରୀଣ ପରୀକ୍ଷା (ଇଣ୍ଟରନାଲ୍) ହୋଇଥିଲା । ୧୯୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମସ୍ତ ଉତ୍ତରଖାତା ମୂଲ୍ୟାୟନ ପାଇଁ ଜଣେ ଶିକ୍ଷୟିତ୍ରୀ ଘରକୁ ନେଉଥିଲେ । ଅନ୍ଧପସରା ରୋଡ଼ ଦେଇ ସେ ଯାଉଥିବା ସମୟରେ ଉତ୍ତରଖାତା ଉଡ଼ି ଯାଇ ରାସ୍ତ।ରେ ବିଛାଡ଼ି ହୋଇଥିଲା । ଶିକ୍ଷୟିତ୍ରୀ କହିଛନ୍ତି ତାଙ୍କ ପାଖରେ ଆଉ ୬୫ଟି ଉତ୍ତର ଖାତା ଅଛି । ବଳକା ଉତ୍ତରଖାତା ରାସ୍ତାରେ ପଡ଼ିଯାଇଛି । ତ୍ରୟୋମାସିକ ଆଭ୍ୟନ୍ତରୀଣ ପରୀକ୍ଷା ମାର୍କ ଏବଂ ବାର୍ଷିକ ପରୀକ୍ଷା ମାର୍କ ମିଶିଲେ ବିଦ୍ୟାର୍ଥୀଙ୍କୁ ମୋଟ ମାର୍କ ଦିଆଯାଇଥାଏ ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡ.କୁଳମଣି ଓଝା । ଯଦି ଖାତା ହଜିଯାଇଛି ତାହେଲେ ଆଉଥରେ ପରୀକ୍ଷା କରିବାକୁ ହେବ ।
ଉତ୍ତରଖାତା ପାଇଥିବା କିଛି ଲୋକ ତାହାର ଫଟୋ ଉଠାଇ ଗଣମାଧ୍ୟମକୁ ଦେଇଛନ୍ତି । ତେବେ ଥରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଆଉଥରେ ପରୀକ୍ଷା ଦେବାକୁ ରାଜି ହେବେ କି ନାହିଁ ତାହା ମଧ୍ୟ ସନ୍ଦେହଜନକ । ପରୀକ୍ଷା ଖର୍ଚ୍ଚ ହେବ କିଏ ବହନ କରିବ ତାହା ମଧ୍ୟ ପ୍ରଶ୍ନ ଉଠିଛି ।
