ଡ୍ରାଇଭିଂ ଲାଇସେନ୍ସରେ ସଂଯୁକ୍ତ ହେବ ଆଧାର, ମିଳିବ ୧୮ଟି ଅନଲାଇନ ସେବା

ନୂଆଦିଲ୍ଲୀ,୫ /୪ : ଆଧାର ଯୁକ୍ତ ପରିବହନ ସେବା ଯୋଗାଇ ଦେବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ୍‌) ୩ ସପ୍ତାହ ତଳେ ଚିଠା ନିର୍ଦେଶନାମା ଜାରି କରିଥିବାବେଳେ ଗୁରୁବାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଲଣ୍ଣର୍ସ ଲାଇସେନ୍ସ ଓ ଗାଡି ପଞ୍ଜୀକରଣ ସମ୍ପର୍କିତ ବିଭିନ୍ନ ପରିବହନ ସେବା ପାଇବା ଲାଗି ଏଣିକି ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ଯିବାକୁ ପଡିବ ନାହିଁ। ଅନଲାଇନରେ ଏହିସବୁ ସେବା ମିଳିବ। ଆଧାର ସଂଯୁକ୍ତ ସତ୍ୟତା ଯାଞ୍ଚ ପୂର୍ବକ ଏହି ସେବା ଯୋଗାଇ ଦିଆଯିବ। ଏଥିପାଇଁ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଧାର ମାଧ୍ୟମରେ ସତ୍ୟତା ଯାଞ୍ଚ ପୂର୍ବକ ୧୮ଟି ସେବାକୁ ଅନଲାଇନରେ ଯୋଗାଇ ଦିଆଯିବ।

ଆଧାର ରହିତ ସେବା ପାଇବା ଲାଗି ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଓ ଆରସିକୁ ଆଧାର ସଂଯୋଗ କରିବାକୁ ପଡିବ। ଆରଟିଓରେ ଲୋକ ଭିଡ କମାଇବାକୁ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅନଲାଇନରେ ମିଳିବାକୁଥିବା ସେବାଗୁଡିକ ହେଲା: ଲଣ୍ଣର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଡ୍ରାଇଭିଂ ଲାଇସେନ୍ସ ଠିକଣା ପରିବର୍ତ୍ତନ, ଡୁପ୍ଲିକେଟ ଡ୍ରାଇଭିଂ ଲାଇସେନ୍ସ, ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ଅନୁମତି, ସାମୟିକ ପଞ୍ଜୀକରଣ ଆବେଦନ, ପଞ୍ଜୀକରଣ ପାଇଁ ଆବେଦନ, ନୂଆ କ୍ଲାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ସରେଣ୍ଡର କରିବା, ପଞ୍ଜୀକରଣ ପ୍ରମାଣପତ୍ର ପାଇଁ ଏନଓସି ପ୍ରଦାନ, ଗାଡିର ମାଲିକାନା ପରିବର୍ତ୍ତନ ନୋଟିସ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ପାଇଁ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି।