ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ‘ଆଇନସେବା ଭବନ’ ଲୋକାର୍ପଣ

କଟକ,୨୫/୯ : ଆଜି ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ନୂତନ କୋଠା ‘ଆଇନସେବା ଭବନ’କୁ ଉଦ୍‍ଘାଟନ କରି ଜଷ୍ଟିସ୍‍ ରମଣା କହିଛନ୍ତି, ଓଡ଼ିଶା ଆଇନସେବା ପ୍ରାଧିକରଣ ଏ ଦିଗରେ ବେଶ୍‍ ସଫଳତା ହାସଲ କରିପାରିଛି। ଓଡ଼ିଶାର ବହୁ ବରପୁତ୍ର ଦେଶର ଆଇନ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଲୋକେ ଗ୍ରାମାଞ୍ଚଳରେ ରହୁଛନ୍ତି। ଏଣୁ ଆଇନସେବା ପ୍ରାଧିକରଣ ସମସ୍ତ ଗ୍ରାମାଞ୍ଚଳର ଲୋକଙ୍କୁ ଆଇନ ପରାମର୍ଶ ଓ ତାଙ୍କ ଆଇନଗତ ସମସ୍ୟା ଦୂର ପାଇଁ ସାହାଯ୍ୟ ଓ ସହଯୋଗ କରିବାକୁ ଜଷ୍ଟିସ୍‍ ରମଣା ପରାମର୍ଶ ଦେଇଛନ୍ତି।

କଟକ ମର୍କତ ନଗରଠାରେ ନିର୍ମିତ ରାଜ୍ୟ ଆଇନସେବା ପ୍ରାଧିକରଣର ନୂତନ କୋଠା ‘ଆଇନ ସେବା ଭବନ’ ଉଦ୍‍ଘାଟନ କରିବା ପରେ ଜୁଡ଼ିସିଆଲ୍‍ ଏକାଡେମୀ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତ ଉଦ୍‍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍‍ ଡକ୍ଟର ଏସ୍‍. ମୁରଲୀଧର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଜଷ୍ଟିସ୍‍ ମୁରଲୀଧର କହିଥିଲେ, ରାଜ୍ୟରେ ଅନୁଗୁଳ ଓ ନୟାଗଡ଼ରେ ଖୁବ୍‍ ଶୀଘ୍ର ଦୁଇଟି ମଡେଲ୍‍ ଭର୍ଚୁଆଲ୍‍ କୋର୍ଟ ସ୍ଥାପନ କରାଯିବ। ଏହାଦ୍ୱାରା ଅନ୍‍ଲାଇନ୍‍ ମାଧ୍ୟମରେ ସାକ୍ଷୀ ଗ୍ରହଣ କରାଯାଇପାରିବ। ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍‍ ଉଦୟ ଉମେଶ ଲଲିତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ଚାଲିଥିବା ଆଇନସେବା ପ୍ରାଧିକରଣ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡ଼ିଶା ଆଇନସେବା କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଥିଲେ।