ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି : କାଳବୈଶାଖୀ ପ୍ରଭାବରୁ ୧୨ ଜିଲ୍ଲାକୁ ବଜ୍ରପାତ, ଘୂର୍ଣ୍ଣିଝଡ଼, କୁଆପଥର ସତର୍କତା

ଭୁବନେଶ୍ବର ୨୨/୦୪ : ଏପ୍ରିଲ ୧୪ରୁ ସାରା ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରକୋପରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି। ରାଜ୍ୟର ସବୁ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସି ଆସିଛି। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କୋହଲା ପବନ ବହିବା ଯୋଗୁଁ ତାତିରୁ ମୁକ୍ତି ମିଳିଛି। ୮ସ୍ଥାନରେ ଘୂର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ଏବଂ ରାଜ୍ୟବ୍ୟାପି ଦିନ ତାପମାତ୍ରା ହ୍ରାସ ପାଇଛି। ତେବେ ୨୬ତାରିଖ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇପାରେ ​ବୋଲି ସୂଚନା ମିଳିଛି।

୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଥିବାରୁ ତାତିରୁ ଆଶ୍ବସ୍ତି ମିଳିବ । ୪ଦିନ ଧରି ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ମାଡ଼ ହୋଇପାରେ। ବିଶେଷକରି ୨୨ ଓ ୨୩‌ରେ କାଳବୈଶାଖୀ ପ୍ରଭାବରୁ ବଜ୍ରପାତ ସହ ବର୍ଷା ଏବଂ କୁଆପଥର ବୃଷ୍ଟିର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିପାରେ। ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ କେନ୍ଦ୍ର ସୂଚନାନୁଯାୟୀ, ଚାନ୍ଦବାଲି, ପାରାଦ୍ବୀପ, ଭୁବନେଶ୍ବର, କେନ୍ଦୁଝର, ସମ୍ବଲପୁର, ଟିଟିଲାଗଡ଼, ରାୟଗଡ଼ା, ଯାଜପୁର, କୋରାପୁଟ ଏବଂ ବଲାଙ୍ଗୀରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ୨୪ଘଣ୍ଟା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି। କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁରର କିଛି ଅଞ୍ଚଳରେ କୁଆପଥର ବୃଷ୍ଟି ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ୨୩ରେ ଉପକୂଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ ବୋଲି ସତର୍କ କରାଇ ଦିଆଯାଇଛି। ଏହି ସମୟରେ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ନିକୁଞ୍ଜ ବିହାରୀ ଧଳ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।

SBI_Festive_Digital Billboard