ବସ୍ – ବାଇକ୍‌ ମୁହାଁମୁହିଁ ଧକ୍କା : ଗୋଟିଏ ପରିବାର ୩ ମୃତ

ଧର୍ମଗଡ,୪ /୩ : ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଛକ ନିକଟରେ ବସ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଗୋଟିଏ ପରିବାର ୩ ମୃତ। ବାପା, ମା’ ସହ ୫ ବର୍ଷର ଶିଶୁ କନ୍ୟା ମୃତ। ଆଜି ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଡଙ୍ଗରିଗୁଡା ଛକରେ ହୋଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ତୁରେଛଡା ଗାଁର ବୋଲି ଜଣାପଡିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ବସକୁ ନିଜ ହେପାଜତକୁ ନେଇଥିବାବେଳେ ଦୁର୍ଘଟଣା ପରେ ଡ୍ରାଇଭର ସମେତ ବସର ଅନ୍ୟ କର୍ମଚାରୀ ଫେରାର ଅଛନ୍ତି।

ତୁରେଛଡା ଗାଁର କୃଷ୍ଣଚନ୍ଦ୍ର ବାଗ(୪୨)ନିଜ ପତ୍ନି ସୁକେଶି ବାଗ(୩୦)ଓ ନିଜ ଝିଅ ସୁପ୍ରିୟା(୫ )କୁ ନେଇ ଓଆର ୦୩ଡି ୩୧୩୦ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଗାଁକୁ ଫେରୁଥିଲେ। ଏହି ସମୟରେ ଡଙ୍ଗରିଗୁଡା ଛକ ନିକଟରେ ମହାଲିଙ୍ଗ ପଟୁ ଆସୁଥିବା ଓ୮ସି ୯୧୫୩ ନମ୍ବର ବିଶିଷ୍ଟ ଜୟ ଜଗନ୍ନାଥ ବସ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ବାଇକଟି ଛିଟିକି ପଡିଥିଲା ଓ ଘଟଣାସ୍ଥଳରେ ହିଁ କୃଷ୍ଣଚନ୍ଦ୍ର ଓ ସୁକେଶୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ୧୦ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନିପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସଚନା ମିଳିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାର ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ସୁଚନାଯୋଗ୍ୟ ଯେ ବିଗତ ଦିନରେ ମଧ୍ୟରେ ଏହି ବସ ଦୁର୍ଘଟଣାରେ ଅନେକ ଧନଜୀବନ ହାନୀ ହୋଇଥିବା ନଜିର ରହିଛି।