ଏଆଇ ସମ୍ମିଟ୍ ରେ ବିଲ୍‍ ଗେଟସଙ୍କୁ ସାକ୍ଷାତ କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ବର, ୧୮/୦୨ : ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍ ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ମାଇକ୍ରୋସଫ୍ଟ ଏବଂ ଗେଟସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍‍ ଗେଟସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟରେ ଆଲୋଚନା ହୋଇଥିଲା । ବିଶେଷ କରି କିସ୍‍ ଓ ଗେଟସ ଫାଉଣ୍ଡେସନ୍‍ କିଭଳି ଜେଣ୍ଡର ଇକ୍ୱାଲିଟି ଉପରେ ମିଳିତ ଭାବେ କାମ କରିବେ ସେ ନେଇ ଆଲୋଚନା ହୋଇଥିଲା । କିସ୍‍ ଜରିଆରେ ଅଚ୍ୟୁତ ସାମନ୍ତ ଦୀର୍ଘ ୩୩ ବର୍ଷ ଧରି ଯେଉଁ କାର୍ଯ୍ୟ କରିଆସୁଛନ୍ତି ସେଥିପାଇଁ ବିଲ୍‍ ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଲ୍‍ ଗେଟସ ଶ୍ରୀ ସାମନ୍ତଙ୍କୁ ପ୍ରଦାନ କରିଥିବା ତାଙ୍କ ପୁସ୍ତକରେ ଶ୍ରୀ ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରି ଗ୍ରେଟ୍‍ ୱାର୍କ ବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ସାମନ୍ତ ମଧ୍ୟ ନିଜ ଲିଖିତ ଦୁଇଟି ପୁସ୍ତକ ବିଲ୍‍ ଗେଟସଙ୍କୁ ପ୍ରଦାନ କରିଥିଲେ । ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶ୍ରୀ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।