ବରିଷ୍ଠ ଅଭିନେତା ପରେଶ ରାୱଲ ହେଲେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧକ୍ଷ

ନୂଆଦିଲ୍ଲୀ, ୧୦/୯ : ବଲିଉଡ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଅଧକ୍ଷ କରାଯାଇଛି। ସଂସ୍କୃତି ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଆଜି ଏହି ସୂଚନା ଦେଇଛନ୍ତି। ପଟେଲ ଟୁଇଟ୍ କରି କହିଛନ୍ତି, ‘ବିଶିଷ୍ଟ କଳାକାର ପରେଶ ରାୱଲଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା NSDର ଅଧକ୍ଷ ଭାବେ ନିଯୁକ୍ତି ଦିଆଯାଇଛି | ତାଙ୍କ ପ୍ରତିଭା ଦ୍ୱାରା ଦେଶର କଳାକାର ଏବଂ ଛାତ୍ରମାନେ ଉପକୃତ ହେବେ | ହାର୍ଦ୍ଦିକ ଅଭିନନ୍ଦନ ।’

୬୫ ବର୍ଷିୟ ଅଭିନେତା ରାୱଲଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ NSDର ଅଧକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି, NSDର ଅଧ୍ୟକ୍ଷଙ୍କ ଏହି ପଦବୀ ୨୦୧୭ ଠାରୁ ଖାଲି ଥିଲା | ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ପରେଶ ରାୱଲ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଅନେକ ପୁରସ୍କାର ଜିତିଛନ୍ତି ଏବଂ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି।