ଆଧାର ଅପଡେସନ ପାଇଁ ସମସ୍ୟାରେ ବୟସ୍କ ହିତାଧିକାରୀ : ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ମହାକାଳପଡ଼ା,୭ /୯ – (କେଶବ ଚରଣ ନାଥ ) : ରାଜ୍ୟ ସରକାର ରାଜ୍ୟରେ ବିଭିନ୍ନ ବର୍ଗରେ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କ ଆଧାର ଲିଙ୍କ ବାଧ୍ୟତା ମୂଳକ କରିଥିଲେ । ଯାହା ନେଇ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ସମସ୍ତ ବିଭାଗୀୟ ଓ ତତସଂଲଙ୍ଗ କର୍ମଚାରୀ ମାନେ ଭତ୍ତା ହିତାଧିକାରୀଙ୍କ ଆଧାର ଲିଙ୍କରେ ଲାଗିପଡ଼ିଥିଲେ । ମାତ୍ର କିଛି ହିତାଧିକାରୀଙ୍କ ଅପଡେସନ ଅଭାବରୁ ଆଧାର ଲିଙ୍କ ହେଉନଥିବା ବେଳେ ଆଉ କେତକ ହିତାଧିକାରୀଙ୍କ ଅବହେଳାରୁ ସେମାନଙ୍କ ଆଧାର ଲିଙ୍କ ହୋଇନଥିଲା । ଆଧାର ଲିଙ୍କରୁ ବଂଚିତ ହିତାଧିକାରୀମାନେ ଅଗଷ୍ଟ ମାସର ଭତ୍ତା ପାଇବାରୁ ବଂଚିତ ହେବା ଭଳି ଘଟଣା ସ୍ଥାନୀୟ ବ୍ଲକ ଭଳି ସାରା ରାଜ୍ୟରେ ଦୃଶ୍ୟ ମାନ ହୋଇଥିଲା । ବିଶେଷ କରି ବୟସ୍କ ଭତ୍ତା ହିତାଧିକାରୀମାନେ ଅଧିକାଂଶ ଭାବେ ଭତ୍ତାରୁ ବଂଚିତ ରହିବା ସମସ୍ୟା ମୁଣ୍ଡ ଟେକି ଥିଲା ।

କରୋନା ମହାମରୀ ସମୟରେ ହିତାଧିକାରୀମାନଙ୍କୁ ଭତ୍ତାରୁ ବଂଚିତ ଘଟଣା ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ହୋଇଥିଲା । ଯେଉଁ ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାର ପୂର୍ବ ଘୋଷଣାରେ ପରିବର୍ତନ ଆଣି ସାମୟିକ ଭାବେ ବିନା ଆଧାର ଅପଡେସନରେ ଭତ୍ତା ପ୍ରଦାନ ପାଇଁ ପୁନର୍ବାର ଘୋଷଣା କରିଥିଲେ । ଏହି ଘୋଷଣା ପରେ ପ୍ରଶାସନ ବଂଚିତ ହିତାଧିକାରୀମାନଙ୍କୁ ଅଗଷ୍ଟ ମାସର ଭତ୍ତା ଟଙ୍କା ପ୍ରଦାନ ପାଇଁ ଅଗ୍ରସର ହୋଇଥିଲେ । ପରବର୍ତ୍ତୀ ସମୟରେ ଆଧାର ଅପଡେସନ କରାଇଲେ ଆଗାମୀ ଦିନରେ ନିୟମିତ ଭତ୍ତା ପ୍ରଦାନ କରିବାରେ ସମସ୍ୟା ରହିବ ନାହିଁ ବୋଲି ଜଣାପଡିଛି । ମାତ୍ର ଏପଟେ ଆଧାର କେନ୍ଦ୍ର ବ୍ଲକ ସଦର ମହକୁମାରେ ଚାଲୁଥିବାରୁ ଗମନାଗମନ ଅଭାବରୁ ଉପକୂଳ ବର୍ତ୍ତୀ ପଂଚାୟତର ବୟସ୍କ ହିତାଧିକାରୀମାନଙ୍କ ପକ୍ଷେ ଅପଡେସନ କେନ୍ଦ୍ରକୁ ଆସିବା ସମ୍ଭବ ହେଉନି । ଅନ୍ୟ ପକ୍ଷରେ କେନ୍ଦ୍ରକୁ ଆସୁଥିବା ପରିଣତ ବୟସର ଭତ୍ତା ହିତାଧିକାରୀଙ୍କ ହାତ ଆଙ୍ଗୁଳି ଗୁଡିକର ତଳ ରେଖାରେ ଢେର ପରିବର୍ତ୍ତନ ଛାପ ଦେବାରେ ସମସ୍ୟା ହେଉଛି । ଯାହାକି ଶତପ୍ରତିଶତ ଆଧାର ଅପଡେସନ ହିଁ ସମୟ ସାପେକ୍ଷ ହେବ ବୋଲି ଜଣାପଡୁଛି । ଆହୁରି ମଧ୍ୟ୍ୟ ଏହିପ୍ରକ୍ରିୟାକୁ ତ୍ୱରିତ କରାଇବା ପାଇଁ ବିଛିନ୍ନାଂଚଳ ପଂଚାୟତ ସଦର ମହକୁମାରେ ପର୍ଯାୟ କ୍ରମେ ଅପଡେସନ କରାଗଲେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟ ସମ୍ପାଦିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।