ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଲାଗିହେଲା ଅଧରପଣା

ପୁରୀ : ଦ୍ବାଦଶୀ ତିଥିରେ ରଥ ଉପରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ପୂଜା ନୀତି ଆଜି ରାତିରେ ସମ୍ପନ୍ନ ହୋଇଛି। ରଥ ଉପରେ ତିନି ଠାକୁରଙ୍କ ଅଧର ଉଚ୍ଚର ୯ଟି ହାଣ୍ଡିରେ ପଣା ଲାଗି ପରେ ରଥ ଉପରେ ଅଧରହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ପଣା ଉତ୍ସର୍ଗ କରାଯାଇଛି। ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡରେ ରଥରେ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଘୁରି ବୁଲୁଥିବା ଚଣ୍ଡୀଚାମୁଣ୍ଡା, ଅଶରୀରୀମାନେ ତୃପ୍ତ ହୋଇଛନ୍ତି। ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଏହି ଅଧର ନୀତି ଦର୍ଶନ କରିଛନ୍ତି। ଏଥିପାଇଁ ଆଜି ବି ସିଂହଦ୍ବାର, ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି।

ପ୍ରଥମେ ରାତି ପ୍ରାୟ ୯ଟା ୧୫ରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଅଧରହାଣ୍ଡି ଭଙ୍ଗାଯାଇଥିଲା। ତା ପରେ ମା’ ସୁଭଦ୍ରାଙ୍କ ଅଧର ନୀତି ସମ୍ପନ୍ନ ହୋଇ ରାତି ୯ଟା ୩୦ରେ ହାଣ୍ଡି ଭଙ୍ଗା ଯାଇଥିଲା। ଶେଷରେ ରାତି ୯ଟା ୪୩ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରହାଣ୍ଡି ଭଙ୍ଗା ସହ ଅଧରନୀତି ଶେଷ ହୋଇଥିଲା।

ଅଧରପଣା ନୀତି ସମ୍ପନ୍ନ ହେଲା ପରେ ନୀଳକନ୍ଦରକୁ ନୀଳାଦ୍ରିନାଥ ବିଜେ ପାଇଁ ତତ୍ପରତା ପ୍ରକାଶ ପାଇଛି। ୧୨ ଦିନର ଲୀଳାଖେଳା ପରେ ସୋମବାର ନୀଳାଦ୍ରି ବିଜେ ହେବ। ଅଭିମାନ କରିଥିବା ମହାଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ। ସିଂହଦ୍ବାରରେ ଦେଖିବାକୁ ମିଳିବ ଏହି ମାନବୀୟ ଲୀଳା। ରଥରୁ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ବିଜେ କରିବେ। ନୀଳାଦ୍ରି ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଏନେଇ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ସୋମବାର ତ୍ରୟୋଦଶୀରେ ପ୍ରାତଃ ୪ଟାରୁ ମଙ୍ଗଳ ଆଳତି କରାଯିବ।

ଆସନ୍ତାକାଲି ନୀଳାଦ୍ରି ବିଜେ ନିର୍ଦ୍ଧାରିତ ନୀତିକାନ୍ତି
* ମଙ୍ଗଳ ଆଳତି : ଭୋର ୪ଟା
* ମଇଲମ-ତଡ଼ପଲାଗି : ସାଢ଼େ ୪ଟା
* ଅବକାଶ : ଭୋର ୫ଟା
* ବେଶଶେଷ : ସାଢ଼େ ୫ଟା
* ଗୋପାଳବଲ୍ଲଭ : ସାଢ଼େ ୬ଟା
* ସକାଳ ଧୂପ : ୭ଟାରୁ ୮ଟା
* ମହାସ୍ନାନ ଓ ସର୍ବାଙ୍ଗ : ସାଢ଼େ ୯ଟା
* ମଧ୍ୟାହ୍ନ ଧୂପ : ସାଢ଼େ ୧୦ଟାରୁ ସାଢ଼େ ୧୧ଟା
* ସନ୍ଧ୍ୟା ଆଳତି : ମଧ୍ୟାହ୍ନ ୧୨ଟା ୧୫
* ସନ୍ଧ୍ୟା ଧୂପ : ସାଢ଼େ ୧୨ଟାରୁ ସାଢ଼େ ଗୋଟେ
* ଚାରବନ୍ଧା : ସାଢ଼େ ୧ଟାରୁ ସାଢ଼େ ୩ଟା
* ସିଂହାସନ ମାଜଣା : ସାଢ଼େ ୩ଟା
* ପୁଷ୍ପାଞ୍ଜଳି : ୩ଟା ୫୦
* ପହଣ୍ଡି ଆରମ୍ଭ : ଅପରାହ୍‌ଣ ୪ଟା
* ପହଣ୍ଡି ଶେଷ : ରାତି ୧୦ଟା
* ରୁନ୍ଧା ଶେଷ : ରାତି ସାଢ଼େ ୧୨ଟା
* ଦଇତାପତି ସର୍ବାଙ୍ଗ : ରାତି ଗୋଟେ
* ଶ୍ରୀମୁଖ ଖଣ୍ଡୁଆ : ୧ଟା ୧୦
* ଚାରମାଳ ଫିଟା : ୧ଟା ୧୫ରୁ ୨ଟା ୧୫
* ଶ୍ରୀସୁଦର୍ଶନ ଦେବ ସିଂହାସନକୁ ବିଜେ : ରାତି ସାଢ଼େ ୨ଟା
* ଶ୍ରୀମୁଖ ଖଣ୍ଡୁଆ ମଇଲମ : ସାଢ଼େ ୨ଟା
* ଚକାପୋଛା : ରାତି ୨ଟା ୪୫
* ସିଂହାସନ ଧୁଆ : ୩ଟା
* ଶ୍ରୀମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ : ୩ଟା ୧୦
* ମହାସ୍ନାନ ଶେଷ : ସାଢ଼େ ୩ଟା
* ରୋଷ ହୋମ : ୩ଟା ୩୫
* ଚନ୍ଦନଲାଗି : ୩ଟା ୪୫
* ସୂର୍ଯ୍ୟପୂଜା : ଭୋର ୪ଟା
* ଦ୍ବାରପାଳ ପୂଜା : ୪ଟା ୧୫
* ବଡ଼ସିଂହାର ବେଶ : ଭୋର ୪ଟା ୧୫
* ରାତ୍ର ପହୁଡ଼ : ଭୋର ୫ଟା

SBI AD