ନୂଆଦିଲ୍ଲୀ, ୦୧/୦୯ : ଆଜି ପ୍ରଚଳନ କରାଯିବ କୃତ୍ରିମ ବୁଦ୍ଧିମତାକୁ ଆଧାର କରି ଆଦିବାସୀ ଭାଷାର ଅନୁବାଦ ନିମନ୍ତେ ଉଦ୍ଦିଷ୍ଟ ଆପ୍ । ଦେଶର ସବୁ ଆଦିବାସୀ ଅଧ୍ୟୁଷିତ ଜିଲାରେ ‘ଆଦି କର୍ମଯୋଗୀ’ ଅଭିଯାନର ଅଂଶବିଶେଷ ଭାବେ ଏହି ଆପ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ବିଗତ ଏକ ବର୍ଷ ଧରି ଏହି ଆପ୍ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଜାରି ରହିଛି। ତଦନୁଯାୟୀ ଏହି ଆପ୍ ଜରିଆରେ ଭିଲ୍ଲି (ଭିଲ୍ ଭାଷା), ମୁଣ୍ଡାରି (ମୁଣ୍ଡା ଭାଷା), ଗୋଣ୍ଡି (ଗୋଣ୍ଡ୍ ଭାଷା), ସାନ୍ତାଳୀ (ସାନ୍ତାଳ ଭାଷା), କୁଇ (କନ୍ଧ ଭାଷା) ଏବଂ ଗାରୋ (ଗାରୋ ଭାଷା)କୁ ହିନ୍ଦୀ କିମ୍ବା ଇଂରାଜୀ ଭାଷାକୁ ଅନୁବାଦ କରାଯାଇପାରିବ। ବିଶେଷଜ୍ଞଙ୍କ ସହାୟତାରେ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ପ୍ରତ୍ୟେକ ଭାଷାର ବାକ୍ୟଗୁଡିକୁ ନେଇ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ଏହି ଡାଟାବେସ୍ରେ ପ୍ରତ୍ୟେକ ଆଦିବାସୀ ଭାଷାର ୧ ଲକ୍ଷ ବାକ୍ୟକୁ ସ୍ଥାନିତ କରାଯାଇଛି। ଦେଶର ଏକାଧିକ ଆଦିବାସୀ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍, ଆଇଆଇଟି ଦିଲ୍ଲୀ, ବିଟ୍ସ ପିଲାନି, ହାଇଦରାବାଦ ଓ ନିଉ ରାୟପୁରସ୍ଥିତ ଆଇଆଇଆଇଟିରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ସହାୟତାରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ଦେଶରେ ୧ କୋଟିରୁ ଅଧିକ ଲୋକ ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟରେ ଏହି ଭାଷା ବ୍ୟବହାର କରିଥାନ୍ତି। ଏହାପଛକୁ ୭୩.୬୮ ଲକ୍ଷ ଲୋକ (ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଆସାମ) ସାନ୍ତାଳୀ ଭାଷା ବ୍ୟବହାର କରୁଥିବାବେଳେ ୨୯.୮୪ ଲକ୍ଷ ଗୋଣ୍ଡି (ଛତିଶଗଡ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର) ଭାଷା, ୧୧.୨୮ ଲକ୍ଷ ଲୋକ ମୁଣ୍ଡାରି (ଓଡ଼ିଶା, ଝାଡ଼ଖଣ୍ଡ) ଭାଷା, ୯.୪୧ ଲକ୍ଷ ଲୋକ କୁଇ (କେବଳ ଓଡ଼ିଶା) ଭାଷା ଏବଂ ୧୧.୪୫ ଲକ୍ଷ ଲୋକ (ମେଘାଳୟ ଓ ଆସାମ) ଗାରୋ ଭାଷା ବ୍ୟବହାର କରିଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ଭାଷଣ ଏବଂ ଆଦିବାସୀ ଲୋକକଥା ଓ ପାରମ୍ପରିକ ଗୀତକୁ ପ୍ରାରମ୍ଭିକ ଭାବେ ଏହି ଆପ୍ରେ ବ୍ୟବହାର କରାଯାଇଛି। ଗୁଗଲ୍ ପ୍ଲେ ଷ୍ଙୋର ଏବଂ ଆପଲ ଆପ୍ ଷ୍ଟୋରରେ ଏହି ଆପ୍ର ବେଟା ଭର୍ସନ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏହି ଆପ୍ର କାର୍ଯ୍ୟକାରିତା ନେଇ ଫିଡ୍ବ୍ୟାକ୍ (ଲୋକଙ୍କ ପ୍ରତିକ୍ରିୟା) ଜାଣିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି।
