ଗାଁ ହେବ ନିଲାମ, ବିକ୍ରି ପାଇଁ ହୋଇଛି ବିଜ୍ଞାପନ । ତାହା କେହି କଳ୍ପନା ସୁଦ୍ଧା କରିନଥିବେ। ମାତ୍ର ଦୀର୍ଘ ତିରିଶ ବର୍ଷ ଧରି ମାନବଶୂନ୍ୟ ହୋଇ ପଡ଼ିଥିବା ଏକ ସ୍ପେନୀୟ ଗାଁକୁ ବିକ୍ରି କରାଯିବ ବୋଲି ବିବିସିରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସ୍ପେନ୍ର ରାଜଧାନୀ ମାଦ୍ରିଦ ସହରଠାରୁ ତିନି ଘଣ୍ଟାର ବାଟ ତଥା ଜାମୋରା ପ୍ରଦେଶ ଅନ୍ତର୍ଗତ ସାଲ୍ଟୋ ଡି କାଷ୍ଟ୍ରୋ ନାମକ ଏହି ଗାଁଟି ପ୍ରାୟ ୨.୨୭ ଲକ୍ଷ ୟୁରୋ (ବା ୨.୧୭ କୋଟି ଟଙ୍କା) ମୂଲ୍ୟରେ ବିକ୍ରି ହେବ ବୋଲି ବିଜ୍ଞାପନ ଦିଆଯାଇଛି।
ଏହି ଗାଁରେ ୪୪ଟି ବାସଗୃହ, ଗୋଟିଏ ହୋଟେଲ, ଗୋଟିଏ ଚର୍ଚ୍ଚ, ଗୋଟିଏ ବିଦ୍ୟାଳୟ ଓ ଗୋଟିଏ ସନ୍ତରଣ ପୋଖରି ସମେତ ସୁରକ୍ଷା କର୍ମୀଙ୍କ ରହଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ୧୯୫୦ ବେଳକୁ ଏକ ବିଦ୍ୟୁତ୍ ପ୍ରସ୍ତୁତକାରୀ କମ୍ପାନିର କର୍ମଚାରୀଙ୍କ ପାଇଁ ଆବଶ୍ୟକ ବାସଗୃହ ଏହି ଗ୍ରାମରେ ସ୍ଥାପନ କରାଯାଇଥିଲା। ତେବେ କମ୍ପାନିର ପ୍ରକଳ୍ପ କାମ ସରିବା ପରେ କର୍ମଚାରୀମାନେ ସାଲ୍ଟୋ ଡି କାଷ୍ଟ୍ରୋ ଛାଡ଼ିବା ଆରମ୍ଭ କରିଥିଲେ ଏବଂ ୧୯୮୦ ବେଳକୁ ତାହା ଜନଶୂନ୍ୟ ହୋଇପଡ଼ିଥିଲା। ଅପରପକ୍ଷେ, ୨୦୦୦ ମସିହା ବେଳେ ଏହି ଆଧୁନିକ ଗାଁକୁ ଜଣେ ବ୍ୟକ୍ତି କିଣି ତାହାକୁ ଏକ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରିତ କରିବାକୁ ଚାହିଁଥିଲେ। ମାତ୍ର ୟୁରୋପୀୟ ଅର୍ଥନୀତିରେ ଦେଖାଦେଇଥିବା ସଂକଟ ଯୋଗୁଁ ତାହା ଫଳବତୀ ହୋଇପାରିନାହିଁ। ଅପରପକ୍ଷେ, ଆଉ ମାତ୍ର ୨୦ ଲକ୍ଷ ୟୁରୋ ଖର୍ଚ୍ଚ କଲେ ସାଲ୍ଟୋ ଡି କାଷ୍ଟ୍ରୋ ପୂରାପୂରି ଜୀବନ୍ତ ହୋଇପାରିବ ବୋଲି କୁହାଯାଇଛି। ତେବେ ଏହାର ବିକ୍ରି ସଂକ୍ରାନ୍ତ ବିଜ୍ଞାପନ ପ୍ରସାରିତ ହେଲା ପରେ ବ୍ରିଟେନ୍ର ୩୦୦ ଜଣ କ୍ରେତା ଆଗ୍ରହ ପ୍ରକାଶ କରିଛନ୍ତି।
