ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନୀଙ୍କ ଆତସବାଜି ସହ ଆକାଶରେ ଗୁଳିବର୍ଷା

କାବୁଲ୍‌, ୩୧/୮: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ସେନା ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟାଇ ଆଫଗାନିସ୍ତାନ ଛାଡିଛନ୍ତି । ତେବା ସେନା ଦେଶ ଛାଡିଯିବା ପରେ ଖୁସିରେ ମସଗୁଲ ତାଲିବାନୀ । ଆମେରିକା ସୈନ୍ୟ ବିମାନରେ ଉଡ଼ିଯିବା ପରେ ତାଲିବାନ୍ ଆଫଗାନିସ୍ତାନକୁ ପୂର୍ଣ୍ଣ ସ୍ବାଧୀନ ଦେଶ ଭାବେ ଘୋ‌ଷଣା କରିଛି ।

ଖୁସିରେ ତାଲିବାନ ମାନେ ଆରମ୍ଭ କରିଦେଇଛନ୍ତି ସେଲିବ୍ରେସନ । ବିଳମ୍ୱିତ ରାତିରେ ଆତସବାଜୀ ଓ ଗୁଳିରେ କମ୍ପିଥିଲା କାବୁଲ ମାଟି । ଆକାଶରୁ ହୋଇଥିଲା ଆତସବାଜୀ ଓ ଗୁଳିବର୍ଷା । ତାଲିବାନୀ ଆତଙ୍କୀମାନେ ଶୂନ୍ୟକୁ ଗୁଳି ଚାଳନା କରିବା ସହ ଆତସବାଜି ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ସବୁରି ମୁହଁରେ ଥିଲା ଗୋଟିଏ କଥା ଶକ୍ତିଶାଳୀ ସେନାକୁ ତଡ଼ିବାରେ ଆମେ ସଫଳ । ଆଉ ଖୁସିରେ ପାଳନ କରୁଛୁ ବିଜୟ ଉତ୍ସବ ।

ସୂଚନା ଥାଉକି, ଆଫଗାନିସ୍ତାନ ଛାଡ଼ିବା ଲାଗି ପୂର୍ବରୁ ଧାର୍ଯ୍ୟ କରିଥିବା ଦିନ ମଙ୍ଗଳବାର ଆଗରୁ ଶେଷ ଦଳକୁ ସୈନ୍ୟ ପ୍ରତ୍ୟାହାର କରିନେଇଥିବା କଥା ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଛି । ଏଥିସହ ଆମେରିକାର ଦୀର୍ଘତମ ଯୁଦ୍ଧ ଓ ଦୁଇ ସପ୍ତାହ ଧରି ଚାଲିଥିବା ଅବ୍ୟବସ୍ଥିତ ଜନସ୍ଥାନାନ୍ତରଣ ଉଦ୍ୟମର ପରିସମାପ୍ତି ଘଟିଛି ।