ସଚିନ ହୋଇପାରନ୍ତି ରାଜସ୍ଥାନର ‘ପାଇଲଟ୍’, ଚିନ୍ତନ ଶିବିର ପରେ ଗାଦି ହରାଇବେ ଗେହଲଟ୍ !

ନୂଆଦିଲ୍ଲୀ,୨୪/୪ : କଂଗ୍ରେସ ହାଇକମାଣ୍ଡ ଏବଂ ବରିଷ୍ଠ ନେତାଙ୍କ ସହ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ମାରାଥନ ବୈଠକ କରିଛନ୍ତି। ଏଥିରେ ସେ କଂଗ୍ରେସର ଭବିଷ୍ୟତର ନକ୍ସା ପ୍ରସ୍ତୁତ କରିଛନ୍ତି। ତାଙ୍କର କଂଗ୍ରେସରେ ସାମିଲ୍ ହେବାର ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଏହା ମଧ୍ୟରେ ଭିତିରିଆ ଭାବେ କଂଗ୍ରେସ ରାଜସ୍ଥାନକୁ ନେଇ ମଧ୍ୟ ବଡ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୋଟିଏ ପଟେ ପ୍ରଶାନ୍ତଙ୍କୁ କଂଗ୍ରେସରେ ସାମିଲ୍ ନେଇ ସୋନିଆ ଗାନ୍ଧୀ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ନେତୃତ୍ଵରେ ନୂତନ ଚେହେରା ଆଣିବାକୁ ବିଚାର କରୁଛନ୍ତି। ଗତ ଦିନରେ ସଚିନ ପାଇଲଟ୍ ଯେବେ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା।

ରାଜସ୍ଥାନର ଉଦୟପୁରରେ ମେ ୧୩ ରୁ ୧୫ ପର୍ଯ୍ୟନ୍ତ ଆୟୋଜିତ ହେଉଛି ଚିନ୍ତନ ଶିବିର। ଏହା ପରେ ରାଜସ୍ଥାନର ନେତୃତ୍ଵ ପରିବର୍ତ୍ତନ ହୋଇପାରେ। ଏହି ସବୁ ମଧ୍ୟରେ ଅଶୋକ ଗେହଲଟ୍ କହିଛନ୍ତି ଯେ, ମୋର ଇସ୍ତଫା ପତ୍ର ସର୍ବଦା ସୋନିଆ ଗାନ୍ଧୀଙ୍କ ନିକଟରେ ରହିଛି। ତାଙ୍କର ଏହି ବୟାନ ପରେ ରାଜସ୍ଥାନରେ ନେତୃତ୍ଵ ପରିବର୍ତ୍ତନ ଖବରକୁ ଆହୁରି ବଳ ଦେଇଛି। ସାଧାରଣତଃ ଅଶୋକ ଗେହଲଟର ବହୁତ କମ ଏବଂ ଭାବିଚିନ୍ତି ବୟାନ ଦେଇଥାନ୍ତି। ମାତ୍ର ତାଙ୍କର ଏହି ଟିପ୍ପଣୀ ପରେ କଂଗ୍ରେସ ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନ ପାଇଁ ବିଚାର କରୁଥିବା କୁହାଯାଉଛି।

ଅନ୍ୟପଟେ ପ୍ରଶାନ୍ତ କିଶୋର କଂଗ୍ରେସକୁ ରାଜ୍ୟ ଏବଂ ଜିଲ୍ଲାସ୍ତରରୁ ଯୁବ ନେତୃତ୍ଵଙ୍କୁ ଦାୟିତ୍ଵ ଦେବା ଉଚିତ୍ ବୋଲି ପ୍ରସ୍ତାବ ଦେଇଥିଲେ। ତାଙ୍କ କହିବା କଥା ୨୦୨୪ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ କଂଗ୍ରେସକୁ ସେହି ରାଜ୍ୟରେ ପ୍ରସ୍ତୁତି କରିବାକୁ ପଡିବ, ଯେଉଁଠି ସିଧାସଳଖ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି। ଆଉ ଏହି ରାଜ୍ୟଗୁଡିକ ହେଉଛି ମଧ୍ୟ ପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ। ତେଣୁ କଂଗ୍ରେସ ରାଜସ୍ଥାନରୁ ପରିବର୍ତ୍ତନ ଆରମ୍ଭ କରିବାକୁ ଯାଉଛି।