କୋଲକାତା: : ଗତ କିଛିଦିନ ହେବ କଳାକାରଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଏହି ଖବର ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଦେଉଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଖବର । ବଙ୍ଗାଳୀ ଅଭିନେତ୍ରୀ ବିଦିଶା ଦେ ମଜୁମଦାରଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କରିଛନ୍ତି ଆଉ ଜଣେ ବଙ୍ଗାଳୀ ଅଭିନେତ୍ରୀ । ପୂର୍ବରୁ ପଲ୍ଲବୀ ଦେ’ ଓ ବିଦିଶା ମଜୁମଦାର ନାମ୍ନୀ ୨ ଅଭିନେତ୍ରୀ ଜୀବନ ହାରିଥିବା ବେଳେ ଆଜି ଫାଶୀ ଲଗାଇ ଜୀବନ ହାରିଛନ୍ତି ଅଭିନେତ୍ରୀ ମଞ୍ଜୁଷା ନିୟୋଗୀ ।
ମଞ୍ଜୁଷାଙ୍କ ମୃତଦେହ ଆଜୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଘରୁ ଉଦ୍ଧାର ହୋଇଛି । ବିଦିଶା ଓ ମଞ୍ଜୁସା ଉଭୟ ବେଶ୍ ଘନିଷ୍ଠ ବାନ୍ଧବୀ ଥିବା ବେଳେ ଜଣକ ପରେ ଜଣେ ଜୀବନ ହାରିବା ଘଟଣାକୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି ।
ସୂଚନା ଅନୁସାରେ, ମଞ୍ଜୁଷା ନିଜ ପରିବାର ସହ କୋଲକାତାର ପଟୋଳି ଅଞ୍ଚଳରେ ରହୁଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମଞ୍ଜୁଷାଙ୍କ ମୃତ୍ୟୁ ନେଇ ତାଙ୍କ ମା’ ଦେଇଥିବା ବୟାନ ସମ୍ପୂର୍ଣ୍ଣ ଘଟଣାକୁ ରହସ୍ୟ ଘେରକୁ ଠେଲି ଦେଉଛି । ତାଙ୍କ କହିବାନୁଯାୟୀ, ତାଙ୍କ ଝିଅ ଓ ବିଦିଶା ଉଭୟ ପରସ୍ପରର ଘନିଷ୍ଠ ଥିଲେ । ଏପରିକି ବିଦିଶାଙ୍କ ସହ ରହିବାକୁ ଚାହୁଁଥିବା ଘରେ କହିଥିଲେ ମଞ୍ଜୁଷା । ଉଭୟ ବହୁ ସମୟ କଥା ହେଉଥିଲେ । ବିଦିଶା ଆତ୍ମହତ୍ୟା କରିବା ପରେ ସମ୍ପୂର୍ଣ୍ଣ ଚୁପଚାପ ହୋଇ ଯାଇଥିଲେ ମଞ୍ଜୁଷା । ଖୁବ୍ ଶୀଘ୍ର ମିଡିଆ ଆମ ଘର ଉପରେ ବି ଫୋକସ୍ କରିବ ବୋଲି କହିଥିଲେ । ଏହାକୁ ପରିବାର ଲୋକେ ଗୁରୁତର ସହ ନେଇ ନ ଥିବା ବେଳେ ଏପରି ଚରମ ନିଷ୍ପତ୍ତି ନେଇଗଲେ ମଞ୍ଜୁଷା ।
ଉଭୟ ମଞ୍ଜୁଷା ଓ ବିଦିଶା ଖୁବ୍ ଅଳ୍ପ ଦିନ ହେବ ଟଲିଉଡ଼ରେ ଏଣ୍ଟ୍ରି କରିଥିବା ବେଳେ ମଡେଲିଂ ବି କରୁଥିଲେ । ବିଦିଶାଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ବେଳେ ମଞ୍ଜୁଷାଙ୍କ ସହ ତାଙ୍କର କ’ଣ ସମ୍ପର୍କ ଥିଲା, କ’ଣ ପାଇଁ ଜଣକ ପରେ ଜଣେ ଉଭୟ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେବି ସସ୍ପେନ୍ସ ଭିତରେ ରହିଛି ।
ସୂଚନା ମୁତାବକ, ୨୧ ବର୍ଷୀୟା ବିଦିଶା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ବିଦିଶା ରହୁଥିବା ଫ୍ଲାଟରୁ ତାଙ୍କ ମୃତଦେହକୁ ଜବତ କରାଯାଇଥିଲା । ଏହି ଫ୍ଲାଟ୍ରେ ସେ ଭଡ଼ାରେ ରହୁଥିଲେ । ତେବେ ତାଙ୍କ ଆତ୍ମହତ୍ୟା ଖବର ପାଇ ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ କବାଟ ଭିତର ପଟୁ ବନ୍ଦ ଥିଲା । ଏହାପରେ ପୋଲିସ କବାଟ ଭାଙ୍ଗି ଭିତରେ ପଶିଥିଲା ଏବଂ ବିଦିଶାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ସେପଟେ ମୃତ ବିଦିଶାଙ୍କର ଜଣେ ଘନିଷ୍ଠ ସାଙ୍ଗ କହିଛନ୍ତି ଯେ, ବିଦିଶା ନିଜ ବୟଫ୍ରେଣ୍ଡଙ୍କ ଯୋଗୁ ଡିପ୍ରେସନରେ ଥିଲେ । କାରଣ, ତାଙ୍କ ବୟଫ୍ରେଣ୍ଡଙ୍କର ଆହୁରି ୩ ଜଣ ଗାର୍ଲଫ୍ରେଣ୍ଡ ଥିଲେ, ଯାହାକୁ ସେ ଆଦୌ ସହ୍ୟ କରି ପାରୁ ନ ଥିଲେ । ନିଜ ବୟଫ୍ରେଣ୍ଡଙ୍କୁ ଆଉ କାହା ସହିତ ସେ ସେୟାର କରିବାକୁ ଚାହୁଁ ନ ଥିଲେ । ଏହି କଥାକୁ ନେଇ ବିଦିଶା ସବୁବେଳେ ଚିନ୍ତିତ ରହୁଥିଲେ । କିନ୍ତୁ ନିଜ ସୁଇସାଇଡ୍ ନୋଟରେ ସେ କ୍ୟାନସରରେ ପୀଡ଼ିତ ଥିବା କଥା କହିଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା । ତାଙ୍କୁ ଏହି ରୋଗ ଆଦୌ ନ ଥିଲା ବୋଲି ସାଙ୍ଗ ଜଣକ କହିଛନ୍ତି । ତେବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।
ଅଭିନେତ୍ରୀ ବିଦିଶାଙ୍କ ପୂର୍ବରୁ କେରଳର ମଡେଲ ତଥା ଅଭିନେତ୍ରୀ ସହାନାଙ୍କ ମୃତ୍ୟୁ ତାଙ୍କ ଜନ୍ମଦିନ ଅବସରରେ ହିଁ ହୋଇଥିଲା । ସେ ୨୧ ବର୍ଷର ଥିଲେ । ସେହିପରି କନ୍ନଡ଼ ଅଭିନେତ୍ରୀ ଚେତନା ରାଜଙ୍କ ମୃତ୍ୟୁ ଖବର ବି ସାମ୍ନାକୁ ଆସିଥିଲା । ଓଜନ କମାଇବା ପାଇଁ କରିଥିବା ସର୍ଜରୀ ଯୋଗଁ ତାଙ୍କର ମୃତ୍ୟୁ ହୋଇଥିଲା ।