ପୁଣି ଜଳିଲେ ଆଉ ଜଣେ ଯୁକ୍ତ ତିନି ଛାତ୍ରୀ

ଭୁବନେଶ୍ୱର, ୦୬/୦୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗାଁରେ ଜଣେ ଛାତ୍ରୀ ଆତ୍ମଦାହ କରିଥିବା ଜଣାପଡ଼ିଛି । ସେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ଥିଲେ । କେହି ଜଣେ ତାଙ୍କୁ ହଇରାଣ କରୁଥିଲେ ବୋଲି ତାଙ୍କ ବାପା କହିଛନ୍ତି । ଛାତ୍ରୀଙ୍କ ବାପାଙ୍କ କହିବା ମୁତାବକ, ଆଜି ସକାଳ ସାଢ଼େ ୭ଟା ସମୟରେ ବାପା ଏବଂ ମାଆ ପଟ୍ଟାମୁଣ୍ଡାଇ ମେଡ଼ିକାଲ ଯାଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ ଟା ୩୦ ବେଳକୁ ଫେରିବା ପରେ ଘର କବାଟ ବାଡ଼େଇଥିଲେ । କିନ୍ତୁ ଝିଅ ଆଉ କବାଟ ଖୋଲି ନ ଥିଲା । ବାପା କବାଟ ବାଡ଼େଇ ବାଡ଼େଇ ଥକି ଯାଇଥିଲେ । ଏହା ପରେ ବାପା କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ । ସିଡ଼ି ଘର ନିକଟରେ ଝିଅର ଦଗ୍ଧ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ । ଛାତ୍ରୀଙ୍କ ବାପା ଗ୍ରାମାଞ୍ଚଳ ଥାନା ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଛାତ୍ରୀଙ୍କର ଜଣେ ପୁରୁଷ ବନ୍ଧୁ ତାଙ୍କୁ ଦୀର୍ଘ ମାସ ହେବ ବ୍ଲାକମେଲ୍ କରୁଥିଲେ । ଏ ନେଇ ସେ ଦୀର୍ଘ ୬ ମାସ ତଳେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଓଲଟା ପୁଅର ମୋବାଇଲ୍ ନମ୍ବର ବ୍ଲକ୍ କରିଦେବାକୁ ପରାମର୍ଶ ଦେଇଥିଲେ ।

ପୋଲିସ ଡିଜି ୱାବି ଖୁରାନିଆ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଘଟଣା ସ୍ଥଳରେ ପହଁଚିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିବାବେଳେ ସ୍ଥାନୀୟ ପୋଲିସର ଦେଖା ନ ଥିଲା । ସମସ୍ତ ଗଣମାଧ୍ୟମ ପହଁଚି ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରିସାରିଥିବାବେଳେ ପୋଲିସ କିନ୍ତୁ ପହଁଚି ପାରି ନଥିଲା । ଅପରାହ୍ନ ସାଢ଼େ ୩ଟା ବେଳକୁ ପୋଲିସର ଦେଖା ଦର୍ଶନ ନ ଥିଲା । ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ହେବ ବୋଲି ପୋଲିସ କହିଥିବା ସମ୍ପର୍କୀୟ କହିଛନ୍ତି । ପ୍ରାୟ ୩ଟା ୪୫ ବେଳକୁ କନଷ୍ଟେବଳ ପହଁଚିଥିବାବେଳେ ଥାନା ଅଧିକାରୀଙ୍କ ଦର୍ଶନ ମିଳି ନ ଥିଲା ।