ଭୁବନେଶ୍ୱର, ୦୭/୦୨ : କିଟ୍-କିସ୍ ଓ ଦକ୍ଷିଣ କୋରିଆର ହାନ୍ସିଓ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ସହଭାଗିତାକୁ ନେଇ ପୁନଃ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଦୀର୍ଘ ୧୬ ବର୍ଷ ଧରି ଉଭୟ ଅନୁଷ୍ଠାନ ମଧ୍ୟରେ ଥିବା ଶୈକ୍ଷିକ ସହଭାଗିତାକୁ ସୁଦୃଢ କରିବା ପାଇଁ ଏହି ବୁଝାମଣାପତ୍ର ପୁନଃ ସ୍ୱାକ୍ଷରିତ ହୋଇଛି । ଦକ୍ଷିଣ କୋରିଆ ଗସ୍ତରେ ଥିବା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ହାନ୍ସିଓ ବିଶ୍ୱବିଦ୍ୟାଳୟରେ ସ୍ୱାକ୍ଷରିତ ହୋଇଥିଲା । ୨୦୦୯ ମସିହାରୁ ଏହି ସହଭାଗିତା ଆରମ୍ଭ ହୋଇଥିବା ବେଳେ ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ଛାତ୍ର-ଅଧ୍ୟାପକ ବିନିୟମ, ସାଂସ୍କୃତିକ ପରିଦର୍ଶନ ଓ ଶୈକ୍ଷିକ ଅଭିଜ୍ଞତା ଆଦାନ ପ୍ରଦାନ ଜାରି ରହିଛି । ଆଭିଏସନ୍ ଓ ଏରୋସ୍ପେସ୍ ଇଞ୍ଜିନିୟରିଂ କ୍ଷେତ୍ରରେ ହାନ୍ସିଓ ବିଶ୍ୱବିଦ୍ୟାଳୟ ଏସିଆ ମହାଦେଶର ଏକ ଜଣାଶୁଣା ବିଶ୍ୱବିଦ୍ୟାଳୟ ।
ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ତଥା ଶିକ୍ଷାବିତ୍ ଡା. କି ସନ୍ ହାମ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟ ଏରୋସ୍ପେସ୍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ସଶକ୍ତ ଇକୋସିଷ୍ଟମ ସୃଷ୍ଟି କରିପାରିଛି । ଏହି ନବୀକୃତ ବୁଝାମଣା ବିଭିନ୍ନ ପ୍ରମୁଖ କ୍ଷେତ୍ରରେ କିଟ୍ -କିସ୍ ଓ ହାନ୍ସିଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବ । ଏଥିରେ ଛାତ୍ର-ଅଧ୍ୟାପକ ବିନିମୟ, ମିଳିତ ଗବେଷଣା, ଇଣ୍ଟର୍ଣ୍ଣସିପ୍ ଓ କିଟ୍ ରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲ୍ୟାବ ପ୍ରତିଷ୍ଠା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଏହି ବୁଝାମଣାପତ୍ର ଅନୁଯାୟୀ କିଟ୍ର ଏରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ୨+ ୨ ପାଠ୍ୟକ୍ରମ ଖୋଲିବ । ଏହାଦ୍ୱାରା ଏରୋସ୍ପେସ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କିଟ୍ରେ ଦୁଇ ବର୍ଷ ଏବଂ ହାନ୍ସିଓ ବିଶ୍ୱବିଦ୍ୟାଳୟରେ ଦୁଇ ବର୍ଷ ପାଠ ପଢ଼ିପାରିବେ ।
ଡ. ସାମନ୍ତ ତାଙ୍କର ହାନ୍ସିଓ ବିଶ୍ୱବିଦ୍ୟାଳୟ ପରିଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟରେ ଉପଲବ୍ଧଏୟାରକ୍ରାଫ୍ଟ, ହେଲିକପ୍ଟର, ଡ୍ରୋନ୍ ବୈଷୟିକ ଜ୍ଞାନ କୌଶଳ, ଅତ୍ୟାଧୁନିକ ତାଲିମ ଭିତ୍ତିଭୂମି ଆଦି ଏରୋସ୍ପେସ୍ ସୁବିଧା ସୁଯୋଗ ବୁଲି ଦେଖିଥିଲେ । ଏଥିରେ ଖୁସି ବ୍ୟକ୍ତ କରି ଡ. ସାମନ୍ତ କହିଛନ୍ତି ଏହା ହାନ୍ସିଓ ବିଶ୍ୱବିଦ୍ୟାଳୟର ବ୍ୟବହାରିକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନକୁ ପ୍ରତିଫଳିତ କରୁଛି । ଏହି ବୁଝାମଣା କିଟ୍-କିସ୍ ଓ ହାନ୍ସିଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ଦୀର୍ଘ ବର୍ଷର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ସହ ଶୈକ୍ଷିକ ଆଦାନ ପ୍ରଦାନ ମାଧ୍ୟମରେ ଉଭୟ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ପରସ୍ପରଠାରୁ ଶିଖିବା ସହ ସେମାନଙ୍କର ଆଉଟ୍ଲୁକ୍ ପରିବ୍ୟାପ୍ତ କରିପାରିବେ ।