ନୂଆଦିଲ୍ଲୀ,୧/୨ : ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ୩ଟି କେନ୍ଦ୍ରୀୟ ପ୍ରକଳ୍ପର ଉଦ୍ଘାନଟ ଓ ଗୋଟିଏର ଶିଳାନ୍ୟାସ ନିମିତ୍ତ ୭ ଫେବୃଆରୀରେ ପଶ୍ଚିମବଙ୍ଗର ହଳଦିଆ ଯିବେ । ଏହି ସବୁ ପ୍ରକଳ୍ପର ଉଦଘାଟନ କରିବା ପରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦୀ। ବେଙ୍ଗଲର ବିଜେପି କାର୍ଯ୍ୟକର୍ତ୍ତା ଏହି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଯେଉଁ ସବୁ ପ୍ରକଳ୍ପର ମୋଦୀ ଉଦଘାଟନ କରିବେ ତାହାର ମୂଲ୍ୟ ପାଖାପାଖି ୫ ହଜାର କୋଟି ବୋଲି କୁହାଯାଉଛି।
ଚଳିତବର୍ଷ ଏପ୍ରିଲ-ମେରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀଙ୍କ ଗସ୍ତ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଏହି ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ସିଟ୍ରେ ବିଜୟ ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି। ୧୫ ଦିନରେ ମୋଦୀଙ୍କର ଏହା ଦ୍ବୀତୀୟ ଗସ୍ତ ହେବ। ଏହା ପୂର୍ବରୁ ଜାନୁଆରୀ ୨୩ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ବିଜେପିର ବହୁ ବରିଷ୍ଠ ନେତା ଲଗାତର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ହାଓ୍ବଡାରେ ଭର୍ଚୁଆଲ ରାଲିକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଲୋକଙ୍କ ଆଶା ପୁରା କରିବାରେ ମମତା ସରକାର ବିଫଳ ବୋଲି କହିବା ସହ ଏଥିପାଇଁ ଟିଏମସି ନେତା ବିଜେପିରେ ସାମିଲ ହେଉଛନ୍ତି ବୋଲି ଶାହା କହିଛନ୍ତି। ନରେନ୍ଦ୍ର ମୋଦୀଙ୍କ ସରକାର ‘ଜନ କଲ୍ୟାଣ’ ପାଇଁ କାର୍ଯ୍ୟ କରୁଥିବା ବେଳେ ମମତାଙ୍କ ସରକାର ‘ପୁତୁରା କଲ୍ୟାଣ’ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ଶାହା କହିଛନ୍ତି।