୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଘୋଷଣା କଲା ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ, ୬/୧: କଂଗ୍ରେସ ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ସୂଚୀ ଘୋଷଣା କରିଛି। ନିର୍ବାଚନ ଅଭିଯାନ ପରିଚାଳନା ଓ ସମନ୍ୱୟ ଲାଗି ଅନେକ ବରିଷ୍ଠ ରାଜନୀତିଜ୍ଞଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଏ ନେଇ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିବା ଓ ସେମାନେ ରାଜ୍ୟ ପ୍ରଭାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି କହିଛନ୍ତି।

କଂଗ୍ରେସ ପକ୍ଷରୁ ଜାରି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୂଚୀ ଅନୁସାରେ ଆସାମ ଲାଗି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ବରିଷ୍ଠ ନେତା ମୁକୁଲ ୱାସିନିକ ଓ ସକିଲ ଅହମ୍ମଦ ଖାନ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। କେରଳ ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ବରିଷ୍ଠ ନେତା ଲୁଇଜିନୋ ଫ୍ଲେରିଓ ଏବଂ ଜି.ପରମେଶ୍ୱରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ବରିଷ୍ଠ ନେତା ବି.କେ. ହରିପ୍ରସାଦ, ପଞ୍ଜାବ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଜୟ ଇନ୍ଦର ସିଂଘଲା ଓ ଝାରଖଣ୍ଡ ସରକାରଙ୍କ ମନ୍ତ୍ରୀ ଆଲମଗୀର ଆଲମଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ତାମିଲନାଡୁ ଓ ପୁଡୁଚେରୀ ଲାଗି ବରିଷ୍ଠ କଂଗ୍ରେସ ନେତା ବୀରପ୍ପା ମୋଇଲୀ, ଏମ.ଏମ. ପଲ୍ଲମ ରାଜୁ ଓ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନିତନ ରାଉତ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।