ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର

ନୂଆଦିଲ୍ଲୀ, ୨୯/୦୧ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ମୃତ୍ୟୁ ପରେ ଗୁରୁବାର ରାଜକୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ସମର୍ଥକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ବରିଷ୍ଠ ନେତା ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଛନ୍ତି । ଜାନୁଆରୀ ୨୮ ତାରିଖରେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅଜିତ ପାୱାର, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଯାଦବଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମହାରାଷ୍ଟ୍ର ସରକାର ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା AAIB ଦୁର୍ଘଟଣାର ତଦନ୍ତ କରୁଛି । ସେପଟେ ବିମାନର ବ୍ଲାକ୍ ବକ୍ସ ମିଳିଛି । ଏହାଦ୍ବାରା ବିମାନ ଦୁର୍ଘଟଣା ବିଷୟରେ ଜଣାପଡିବ ।