ଆରଡି,୨୦ /୮ : ଆସନ୍ତା ୨୩ ତାରିଖରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର କୋଭିଡ କଟକଣା ମଧ୍ୟରେ ଖୋଲିବ । ଏଥିପାଇଁ ସ୍ବତନ୍ତ୍ର ଏସଓପି ଜାରି କରିଛନ୍ତି ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ। ମନ୍ଦିରର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ସେହିପରି କୋଭିଡ-୧୯ର ନିୟମ ଅନୁଯାୟୀ ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇଛି ଜିଲା ପ୍ରଶାସନ। ଦର୍ଶନ ନିମନ୍ତେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ମନ୍ଦିର ଖୋଲା ରହିବ। ଭକ୍ତ ସେବାୟତମାନେ ମାକ୍ସ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଛି ପ୍ରଶାସନ। ତାହାସହ ଭକ୍ତମାନେ କେବଳ ବାବାଙ୍କୁ ଦର୍ଶନ କରିବେ। ଶ୍ରଦ୍ଧାଳୁମାନେ ଭୋଗଡାଲା , ଫୁଲ, ବେଲପତ୍ର ଆଦି ଭକ୍ତମାନେ ନେଇ ପାରିବେ ନାହିଁ। ଏଥିସହ ପାର୍ଶ୍ବଦେବାଦେବୀଙ୍କୁ ସ୍ପର୍ଷ କରିପାରିବେ ନାହିଁ । ମଣିବାବାଙ୍କ ନୀତିକାନ୍ତି ପୂର୍ବପରି ସେବାୟତଙ୍କ ଦ୍ବାରା ସମ୍ପନ୍ନ କରାଯିବ। ମନ୍ଦିର ମଧ୍ୟରେ ବିବାହ, ମେଳା ଆଦି ପୂଜାର୍ଚ୍ଚନା ଉପରେ ପୂର୍ବପରି କଟକଣା ବଳବତ୍ତର ରହିବ ବୋଲି ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ କହିଛନ୍ତି।