‘ପବ୍‌ଜି’ର ବିକଳ୍ପ ହେବ ଭାରତର ନିଜସ୍ୱ ଆକ୍ସନ୍-ମଲ୍‌ଟିପ୍ଲେୟାର୍‌ ଗେମ୍ ‘ଫୌଜି’

ମୁମ୍ବାଇ : ଭାରତରେ ଆକ୍ସନ ଗେମ ‘ପବ୍‌ଜି’ ନିଷିଦ୍ଧ ହେବାର ଏକ ସପ୍ତାହ ନହେଉଣୁ ଅଭିନେତା ଅକ୍ଷୟ କୁମାର ଆଜି ଏକ ମଲ୍ଟିପ୍ଲେୟାର୍‌ ଗେମ୍ ‘ଫୌଜି’ ବିଷୟରେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ କରି ଏହି ଗେମର ପ୍ରସ୍ତୁତି ଚାଲିଛି । ଅକ୍ଷୟ କୁମ‌ାର ଏହି ଆକ୍ସନ୍-ମଲ୍‌ଟିପ୍ଲେୟାର୍‌ ଗେମ୍‌ ଉପସ୍ଥାପକ ରହିବେ ଏବଂ ଖେଳାଳିମାନଙ୍କୁ ଆମ ବୀର ଯବାନମାନଙ୍କ ବଳିଦାନ କାହାଣୀ କହିବେ। ଏହା ବ୍ୟତିରେକେ, ଏହି ଖେଳରୁ ଆସୁଥିବାର ନେଟ୍‌ ରାଜସ୍ବର ୨୦% ‘ଭାରତ କେ ବୀର’ ଟ୍ରଷ୍ଟ୍‌କୁ ପ୍ରଦାନ କରାଯିବ।

ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖବର ସେୟାର୍‌ କରି ଅକ୍ଷୟ କୁମାର ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଅଭିଯାନକୁ ସମର୍ଥନ କରି ମଲ୍‌ଟିପ୍ଲେୟାର୍‌ ଆକ୍ସନ୍ ଗେମ୍‌ ‘ଫିୟର୍‌ଲେସ୍ ଆଣ୍ଡ୍‌ ୟୁନାଇଟେଡ୍‌-ଗାର୍ଡସ୍‌’ (ଫୌଜି) ଉପସ୍ଥାପନ କରୁଥିବାରୁ ଗର୍ବିତ। ମନୋରଞ୍ଜନ ବ୍ୟତିରେକେ, ଏଥିରୁ ମିଳୁଥିବା ନେଟ୍‌ ରାଜସ୍ବର ୨୦% ‘ଭାରତକେ ବୀର’ ଟ୍ରଷ୍ଟ୍‌କୁ ପ୍ରଦାନ କରାଯିବ।

ଏହା ହେଉଛି ଅଭିନେତା ଅକ୍ଷୟଙ୍କର ପ୍ରଥମ ଏଭଳି ଗେମ୍ ଆପ୍ ପ୍ରକଳ୍ପ । ବର୍ତ୍ତମାନ ‘ଫୌଜି’ ସମ୍ବନ୍ଧୀୟ ଅଧିକ ବିବରଣୀ ମିଳିନାହିଁ। ବୁଧବାର ଦିନ ‘ପବ୍‌ଜି’ ସମେତ ୧୧୮ଟି ଅନ୍ୟାନ୍ୟ ମୋବାଇଲ୍ ଆପ୍‌ କେନ୍ଦ୍ର ସରକାର ନିଷିଦ୍ଧ କରିବା ପରେ ‘ଫୌଜି’ ଗେମ୍ ଆପ୍ ବିଷୟରେ ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଅକ୍ଷୟ କୁମାର ‘ଫୌଜି’ ପ୍ରସଙ୍ଗ ଘୋଷଣା କରିବା କ୍ଷଣି ଲୋକେ ‘କମେଣ୍ଟ୍‌ ସେକ୍ସନ୍‌’ରେ ସେମାନଙ୍କର ଚଞ୍ଚଳତା ବ୍ୟକ୍ତ କରିଛନ୍ତି।