ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୨୫ /୧୧ : ଆସନ୍ତାକାଲି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଧର୍ମଘଟରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟି ଆସୋସିଏସନ୍ (ଏଆଇବିଇଏ) ସାମିଲ ହେବ ବୋଲି ଘୋଷଣା କରିଛି। ନିକଟରେ ଲୋକସଭା ଅଧିବେଶନରେ ‘ବ୍ୟବସାୟ ସହଜ ତଥା ସରଳୀକରଣ’କୁ ନେଇ ନୂତନ ଶ୍ରମ ନିୟମ ପ୍ରଣୟନ କରାଯାଇଛି। ତେବେ ସହଜ ବ୍ୟବସାୟ ନାମରେ କର୍ପୋରେଟ୍ ସ୍ୱାର୍ଥରେ କରାଯାଉଥିବା କରାଯାଇଛି ଓ ଏହା ଶ୍ରମ ନିୟମ ବାହାରେ ଏବଂ ଏଥିରେ ଆଇନଗତ କୌଣସି ସୁରକ୍ଷା ନାହିଁ ବୋଲି ଏଆଇବିଇଏ କହିଛି।

ଅପରପଟେ ବାମଦଳ ଓ କଂଗ୍ରେସ କର୍ମୀମାନେ ସୋମବାର କୋଲକାତାରେ ଭାରତ ବନ୍ଦ ଡାକରା ସମର୍ଥନ ଜଣାଇଛନ୍ତି। ତେବେ ଗଣମାଧ୍ୟମକୁ ସୂଚନା ଦେଇ ଯୁନିୟନ ନେତା କହିଛନ୍ତି ଯେ ସମସ୍ତ ସେକ୍ଟରର କର୍ମୀମାନେ ଏହି ବନ୍ଦ ଡାକରାରେ ସାମିଲ ହେବେ। ଦେଶବ୍ୟାପୀ ଟ୍ରେଡ୍ ୟୁନିଅନ୍‌ର ପାଖାପାଖି ୨୫ କୋଟି ୱାର୍କର ବନ୍ଦରେ ସାମିଲ ହେବେ ବୋଲି ଆଶା କରାଯାଉଛି।

କେବଳ ଜରୁରୀକାଳିନ ସେବାରେ ଥିବା ୱାର୍କରମାନେ ଧର୍ମଘଟରୁ ବାଦ୍ ରହିବେ। ଏହି ୧୦ ଟ୍ରେଡ୍ ୟୁନିଅନ, କର୍ମଚାରୀ ଛଡା ବ୍ୟାଙ୍କ୍, ରେଳ ଓ ରାଜ୍ୟ ଓ କେନ୍ଦ୍ରୀୟ ଅନୁଷ୍ଠାନ ଏହି ବନ୍ଦରେ ସାମିଲ ହେବେ। ଏହି ବନ୍ଦ ୨୫ ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ୨୬ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ।