ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଶେଷ : ୩ ମାସ ଘୁଞ୍ଚାଇବା ଦାବିରେ ବିରୋଧୀ

ଭୁବନେଶ୍ୱର,୧୦/୧: ପଞ୍ଚାୟତ ନିର୍ବାଚନ ନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକରେ ନିଜ ନିଜ ଦାବି ଉପସ୍ଥାପନ କରିଛନ୍ତି ସମସ୍ତ ଦଳ ।

ବୈଠକ ପରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ରାଜ୍ୟରେ କୋଭିଡ ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡ଼ ଲାଇନ ଆଣିଛନ୍ତି । ସେହି ଗାଇଡ଼ ଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି ।

ତିନି ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସର୍ବଦଳୀୟ ବୈଠକରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । ବୈଠକରେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ଦାବି କରିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟ କାଳ ଶେଷ ହେବାକୁ ଯାଉଛି । ତେଣୁ ତୁରନ୍ତ ନିର୍ବାଚନ କରିବା ପାଇଁ ବିଜେଡି ଦାବି କରିଛୁ । କୋଭିଡ ଗାଇଡ଼ ଲାଇନ ଭିତରେ କିପରି ନିର୍ବାଚନ ହେବ ତାକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ।

ସେପଟେ କୋଭିଡ ପାଇଁ ନିର୍ବାଚନକୁ ତିନି ମାସ ଘୁଞ୍ଚାଇବା ପାଇଁ କଂଗ୍ରେସ ପ୍ରସ୍ତାବ ଦେଇଛି । ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ ଭାବେ ନ ଦିଆଯାଇଥିବାରୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି କଂଗ୍ରେସ । ବିଜେଡିକୁ ଛାଡି ସବୁ ଦଳ ଏହି ଦାବି ରଖିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ।

ସେହିପରି ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ଏକାଧିକ ପ୍ରସ୍ତାବ ରଖାଯାଇଛି । ଯଥାକ୍ରମେ ସେଗୁଡିକ ହେଲା – ୧) ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ପର୍ଯ୍ୟନ୍ତ ଯାଏ ଏ ସମସ୍ୟାର ସମାଧାନ ନ ହୋଇଛି । ସେ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପିର ଦାବି । ୨) ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । କନ୍ଧମାଳ ଓ କୋରାପୁଟରେ ଏହିଭଳି ହୋଇଛି । ୩ ) ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି । ୪) କୋଭିଡ ମହାମାରୀର ପିକ ପିରିୟଡ଼ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ ମାସ କି ତିନି ମାସ ନିର୍ବାଚନ ଘୁଞ୍ଚେଇବା ପାଇଁ ଦାବି ରଖିଲା ବିଜେପି । ୫) ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା କରାଯାଉ । ୬) ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମରାଯାଉଥିବା ହୋଡ଼ିଂକୁ ଉଚ୍ଛେଦ କରାଯାଉ । ୭) ଦୀର୍ଘ ଦିନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀ ମାନଙ୍କୁ ବଦଳି କରାଯାଉ । ୮) ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ବିଜେପିର ଦାବି ।