ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ : ରାଜ୍ୟସଭା ପାଇଁ ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ୨୮/୦୨ : ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍‌ । ଏହି ଦୁଇ ଜଣଙ୍କ ନାଁରେ ଲାଗିଲା ମୋହର । ରାଜ୍ୟସଭା ପ୍ରାର୍ଥୀ ପାଇଁ ଏହି ଦୁଇ ଜଣଙ୍କ ଚୟନ କଲେ ନବୀନ ପଟ୍ଟନାୟକ । ତେବେ ଏହି ଦୁଇ ଜଣଙ୍କ ନାଁ ଆଗରୁ ଚର୍ଚ୍ଚ ହେଉଥିଲା । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଥିଲା ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲି ଥିଲା ଅଙ୍କକଷା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଥିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଥିଲେ । କାହାକୁ ରାଜ୍ୟସଭା ପାଇଁ ଟିକେଟ୍‌ ମିଳିବ ତାକୁ ନେଇ ଥିଲା ଅପେକ୍ଷା । ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଥିଲା ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଥିଲା ମାନସମନ୍ଥନ । ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।