ମାଲକାନଗିରି, ୧୫/୧୧ : ମାଲକାନଗିରି କଲେକ୍ଟର ମନିଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପୂର୍ବତନ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ପୁର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ଏତଲା ରୁଜୁ କରିନଥିଲା । ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବ୍ୟକ୍ତିଗତ ସହାୟକ ପଣ୍ଡାଙ୍କ ସ୍ତ୍ରୀ ବନଜା । ମୃତ୍ୟୁର ପ୍ରାୟ ବର୍ଷକ ପରେ ପୁଣି ସାମ୍ନାକୁ ଆସିଛି ଏହି ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କରିଛି ମାଲକାନିଗିରି ପୋଲିସ । ମନୀଷଙ୍କ ବିରୋଧରେ ଆଇପିସିର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ କରାଯାଇଛି । ପ୍ରାୟ ବର୍ଷେ ପୂର୍ବରୁ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହକୁ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର କରାଯାଇଥିଲା । ଦେବନାରାୟଣ ପଣ୍ଡା ଅଫିସକୁ ଯାଇଥିଲେ କିନ୍ତୁ ଆଉ ଫେରି ନ ଥିଲେ । ଏହାପରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହା ପରେ ସତୀଗୁଡ଼ା ଡ୍ୟାମ୍ ନିକଟରୁ ଦେବନାରାୟଣ ପଣ୍ଡାଙ୍କ ବାଇକ ଓ ହେଲମେଟ୍ ମିଳିଥିଲା । ଅଧିକ ଖୋଜାଖୋଜି ପରେ ଡ୍ୟାମରୁ ମିଳିଥିଲା ଦେବନାରାୟଣଙ୍କ ମୃତଦେହ । ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି କେଉଁ ଅଫିସରଙ୍କ ଚାପ ଯୋଗୁ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣଙ୍କ ମୃତ୍ୟୁ ହୋଇଥିଲା? ମୃତ୍ୟୁ ପରେ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ହତ୍ୟା ଅଭିଯୋଗ କରିଥିଲେ । ଏହା ପରେ ପରିବାର ଲୋକେ କୋର୍ଟ ଯାଇଥିଲେ ।