ବାପ-ଝିଅ ସମ୍ପର୍କରେ କଳଙ୍କ : ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କଲା ବାପା : ମହିଳା ଥାନାରେ ମାମଲା ରୁଜୁ

ଭୁବନେଶ୍ବର,୨୧ /୯: ବାପ-ଝିଅର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ନିଜ ୧୨ ବର୍ଷୀୟ ନାବାଳିକା କନ୍ୟାକୁ ଦୁଷ୍କର୍ମ କରିଛି ବାପା । ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଛି । ଲଜ୍ଜା ଓ ଅପମାନରେ ଜର୍ଜରିତ ନାବାଳିକା କନ୍ୟା ଓ ମା’ ମହିଳା ଥାନାର ଦ୍ବାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ଆଇନ ବଳରେ ଅଭିଯୁକ୍ତ ବାପା ବିରୋଧ‌ରେ ଏକ ମାମଲା ରୁଜୁ କରିଛି। ନାବାଳିକାର ଡାକ୍ତରୀମାଇନା କରାଯିବା ସହ ବୟାନ ମଧ୍ୟ ରେକର୍ଡ କରାଇଛି ପୁଲିସ।

ସୂଚନା ଅନୁଯାୟୀ, ନାବାଳିକାର ପରିବାର ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିଲେ। ଅଭିଯୁକ୍ତ ବାପା ପ୍ରତିଦିନ ମଦ ପିଇ ମା’ଙ୍କୁ ପିଟୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା । ନିର୍ଯାତନା ଅସହ୍ୟ ହେବାରୁ ମା’, ଝିଅ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ । ବେଳେ ବେଳେ ଅଭିଯୁକ୍ତ ସେଠାକୁ ଯିବା ଆସିବା କରୁଥିଲା । ଗତକାଲି ନାବାଳିକା ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ବାପା ଘରେ ପହଞ୍ଚି ନାବାଳିକା ଝିଅ କୁ ଦୁଷ୍କର୍ମ କରିଥିଲା । ନାବାଳିକା ଝିଅ ଏ ସଂପର୍କରେ ମା’ଙ୍କୁ କହିବା ପରେ ଉଭୟ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏତଲା ଗ୍ରହଣ କରିବା ସହ ମାମଲା ରୁଜୁ କରିଛି । ଅଭିଯୁକ୍ତ ଜଣଙ୍କ ଫେରାର୍‌ ଥିବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।