ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ନୂଆଦିଲ୍ଲୀ,୨୯/୯ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ସମ୍ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିଲେ। ସୂଚନା ଅନୁସାରେ ଉଭୟଙ୍କ ଅଧ ଘଣ୍ଟାଏରୁ କମ୍‌ ସମୟ ଆଲୋଚନା ହୋଇଥିଲା। ଏହା ପରେ ଅମରିନ୍ଦର୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ଅମିତ ଶାହଙ୍କ ସହ ସାକ୍ଷାତ ପରେ ଟୁଇଟ୍‌ କରି ସିଂହ ଲେଖିଛନ୍ତି, ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲି। କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେବ ଚାଲିଥିବା ପ୍ରତିବାଦ ବିଷୟରେ ଆଲୋଚନା କରି ଏହି ଆଇନଗୁଡ଼ିକୁ ଉଚ୍ଛେଦ କରି ଏବଂ ସର୍ବ ନିମ୍ନ କ୍ରୟ ମୂଲ୍ୟ ବୃଦ୍ଧିର ଗ୍ୟାରେଣ୍ଟି ଦେଇ ଜରୁରୀଭି୍ତ୍ତିରେ ଏହି ସଙ୍କଟର ସମାଧାନ ପାଇଁ କହିଛି। ଏହାଛଡ଼ା, ଶସ୍ୟ ବିବିଧତାରେ ପଞ୍ଜାବକୁ ସହଯୋଗ କରିବା ଲାଗି ତାଙ୍କୁ କହିଛି।

ପଞ୍ଜାବ ରାଜ୍ୟର ମୁଖ୍ୟ ପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା।
‘ବିଜେପି’ରେ ‌ଯୋଗ ଦେବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବାକୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଅଗ୍ରାହ୍ୟ କରି ଦେଉଥିଲେ। କିନ୍ତୁ, ଚଳିତ ମାସ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିକଳ୍ପ ଖୋଜୁଥିବା କଥା ସେ କହିଥିଲେ।

ଅମରିନ୍ଦରଙ୍କ ଭବିଷ୍ୟତ ଯୋଜନା ସମ୍ବନ୍ଧୀୟ ପ୍ରଶ୍ନାବଳୀର ଉତ୍ତର ନ ଦେଇ ତାଙ୍କ ‘ଟିମ୍‌’ କହିଥିଲା କି, ଏହା ଗୋଟାଏ ସୌଜନ୍ୟମୂଳକ ସାକ୍ଷାତ। ଗତକାଲି ତାଙ୍କ ଗଣମାଧ୍ୟମ ଉପଦେଷ୍ଟା ରବୀନ୍‌ ଥୁକ୍ରାଲ୍‌ କହିଥିଲେ ଯେ, କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହଙ୍କ ଦିଲ୍ଲୀ ଗସ୍ତ ପ୍ରସଙ୍ଗ ମାତ୍ରାଧିକ ଚିନ୍ତା କରାଯାଉଛି। ସେ ବ୍ୟକ୍ତିଗତ ଗସ୍ତରେ ଯାଇଛନ୍ତି। ଗସ୍ତ ସମୟରେ ସେ ତାଙ୍କର କିଛି ବନ୍ଧୁଙ୍କୁ ଭେଟିବେ ଓ ଜାତୀୟ ରାଜଧାନୀରେ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ‘କପୁରତାଲା ହାଉସ୍‌’ ଖାଲି କରିବେ। ଅଯଥା କଳ୍ପନାଜଳ୍ପନା ଅନାବଶ୍ୟକ।